Odiapua.com

ଚନ୍ଦନ ଶାହାକୁ ଗିରଫ, ନିଶା କାରବାର, ଅପରାଧିକ କାର୍ଯ୍ୟ ବନ୍ଦ ଦାବିରେ କଂଗ୍ରେସର ପ୍ରତୀକ ଧାରଣା, ପୁଲିସ ଚୁପ୍

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ୧ ମାସ ବିତି ଯାଇଥିଲେ ମଧ୍ୟ ଏହାର ମୁଖ୍ୟ ଅଭିଯୁକ୍ତ ସୋ’ରୁମ ୍ ମାଲିକ ଚନ୍ଦନ ଶାହାଙ୍କୁ ପୁଲିସ ଗିରଫ କରିନାହିଁ । ତୁରନ୍ତ ଏହାକୁ ଗିରଫ କରିବା ସହିତ ଭଦ୍ରକ ଜିଲ୍ଲାରେ ଚାଲିଥିବା ଅବାଧ ନିଶା କାରବାର ବନ୍ଦ କରିବା ଦାବି ନେଇ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଗଣଧାରଣା ଅନୁଷ୍ଠିତ ହୋଇଛି । ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଗଣଧାରଣା ଦିଆ ଯାଇଛି । ଭଦ୍ରକ ଗବସାହି ଅଞ୍ଚଳର ଚିତ୍ତରଂଜନ ଜେନା ନାମକ ଯୁବକ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିବା ବେଳେ ସୋ’ରୁମ୍‌ର ମାଲିକ ଚନ୍ଦନ ଶାହାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବୟାନ ଲେଖି ତାଙ୍କ ମୃତ୍ୟୁ ପାଇଁ ଚନ୍ଦନ ଶାହା ହିଁ ଦାୟୀ, ତାଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ ପୁଲିସ ଚନ୍ଦନ ଶାହାଙ୍କୁ ଗିରଫ କରୁନାହିଁ । ଏଥି ସହିତ ଭଦ୍ରକରେ ନିଶା କାରବାରର ସମ୍ରାଟ ସାଜି ଜିଲ୍ଲାକୁ ନିଶା କବଳିତ କରିଥିବା ଶ୍ୟାମସୁନ୍ଦର ଗୁପ୍ତା ଜିଲ୍ଲା ତମାମ ନିଶାର ସାମ୍ରାଜ୍ୟ ସୃଷ୍ଟି କରି ଖୋଲାଖୋଲି ଦେଶୀ ମଦ କାରବାର କରି ସମାଜକୁ ନଷ୍ଟ କରୁଥିବା ବେଳେ ଡ୍ରଗ୍ସ ଖାଇ ସହରର ଯୁବ ଅକାଳକୁ ଡାକି ଆଣୁଛନ୍ତି ବୋଲି ଶ୍ରୀ ମହାନ୍ତି ଆରୋପ କରିଛନ୍ତି ।

 

ତୁରନ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ବିହାରୀ ଅପରାଧି ଲିଙ୍କ୍ ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ତାଙ୍କ ସମ୍ପତିର ସ୍ୱତନ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ତଦନ୍ତ କରିବାକୁ ଶ୍ରୀ ମହାନ୍ତି ଦାବି କରି ଏହି ଧାରଣାରେ ବସିଛନ୍ତିି । ପୂର୍ବରୁ ଗତ ୧୦ ତାରିଖରେ ଶ୍ରୀ ମହାନ୍ତି ଧାରଣାରେ ବସିଥିବା ବେଳେ ପୁଲିସ ୩ ଦିନ ସମୟ ନେଇ ଅଭିଯୁକ୍ତଙ୍କୁ ଧରିବ ବୋଲି ପ୍ରତିଶୃତି ଦେଇଥିଲା । ତେବେ ଦିଆ ଯାଇଥିବା ସମୟଠାରୁ ବହୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ । ଯାହା ପାଇଁ ବାଧ୍ୟ ହୋଇ ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ଏହି ପ୍ରତୀକ ଧାରଣା ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ଆଜି ଧାରଣା ସରିଥିଲେ ବି କୌଣସି ପୁଲିସ ଅଧିକାରୀ ଧାରଣାକାରୀଙ୍କ ସହ ଆଲୋଚନା କରି ନ ଥିବା ଜଣା ପଡିଛି । ପୁଣି ଆସନ୍ତାକାଲି ଦିନ ୧୦ଟା ଠାରୁ ୪ ଘଣ୍ଟିଆ ପ୍ରତୀକ ଧାରଣା ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ଏହି ଧାରଣାରେ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ ଧାରଣାରେ ବସିଥିଲେ ।