ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳର ପୁରୁଣାବଜାର କିମ୍ବା ଚନ୍ଦନବଜାର ଅଂଚଳରେ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ଖୋଲିବା ଦାବିରେ ଭଦ୍ରକ ପ୍ରାକ୍ତନ ବିଧାୟକ ନରେନ ପଲେଇ ଷ୍ଟେଟ୍ବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କ ସମେତ ଭଦ୍ରକ ଜିଲାର ଲିଡ୍ ବ୍ୟାଙ୍କ ମ୍ୟାନେଜର ନାଗେଶ୍ୱର ରାଓଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଅନୁରୂପ ଦାବିପତ୍ର ଶ୍ରୀ ପଲେଇ ଗତମାସ ମଧ୍ୟ ଭଦ୍ରକ ଷ୍ଟେଟ୍ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ କାମିନି ରଂଜନ ଦଳେଇଙ୍କୁ ଏକ ସ୍ମାରକପତ୍ର ଭୁବନେଶ୍ୱରସ୍ଥିତ ସର୍କଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଆମେ ଆଉ ଦୁଇଥର ସ୍ମାରକପତ୍ର ଦେବୁ ଓ ଅପେକ୍ଷା କରିବୁ। ଇତିମଧ୍ୟରେ ଦାବିପତ୍ର ଦେବାକୁ ଏକମାସ ବିତିସାରିଛି। କିନ୍ତୁ କୌଣସି ପ୍ରକାର ସକରାତ୍ମକ ଉତ୍ତର ମିଳିନାହିଁ। ତେଣୁ ଦ୍ୱିତୀୟଥର ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଏହି ଯୁକ୍ତିଯୁକ୍ତ ଦାବି ପୂରଣ ନହୁଏ, ତେବେ ସେ ସଂପୃକ୍ତ ଅଂଚଳବାସୀଙ୍କୁ ନେଇ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଶ୍ରୀ ପଲେଇ ଚେତାବନୀ ଦେଇଛନ୍ତି। ସେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ପୁରୁଣାବଜାର ଓ ଚନ୍ଦନବଜାର ବାସୀଙ୍କ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଲେଇ କହିଛନ୍ତି।
ଶ୍ରୀ ପଲେଇ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଭଦ୍ରକ ପୌରାଞ୍ଚଳର ୧ରୁ ୧୫ ନଂ ୱାର୍ଡ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କର ୪ଟି ଶାଖା ରହିଛି। ଏହି ଅଂଚଳର ଜନସଂଖ୍ୟା ୬୦ ହଜାର। କିନ୍ତୁ ୧୬ ରୁ ୩୦ ନଂ ୱାର୍ଡ ମଧ୍ୟରେ କୌଣସି ବ୍ୟାଙ୍କର ଶାଖା ନାହିଁ। ଏଠାରେ ଲୋକସଂଖ୍ୟା ୭୦ ହଜାର। ଏ ସମସ୍ତ ୱାର୍ଡରେ ୨୦ଟି ପ୍ରାଥମିକ ବିଦ୍ୟାଳୟ, ୬ଟି ଉଚ୍ଚ ବିଦ୍ୟାଳୟ, ଗୋଟିଏ ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟରତ ଅଛି। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଓ କେସ୍ଲେସ୍ ଟ୍ରାଞ୍ଜେକସନ ପ୍ରଚଳନ ଥିବାରୁ ପ୍ରତ୍ୟେକ ହିତାଧିକାରୀଙ୍କ ଏକାଉଣ୍ଟକୁ ସିଧା ଅର୍ଥ ଟ୍ରାନ୍ସଫର ହେଉଛି। ଏପରି ସ୍ଥଳରେ ଏହି ଡିଜିଟାଲ ସେବା ନପାଇ ଉପରୋକ୍ତ ସମସ୍ତ ଅନୁଷ୍ଠାନ ଦୈନନ୍ଦିନ ଜୀବନରେ ବ୍ୟାଙ୍କ ସେବାରୁ ବଂଚିତ ହୋଇ କଚେରୀ ବଜାରକୁ ଦୌଡୁଛନ୍ତି। ଏଠାରେ ଗୋଟିଏ ବ୍ୟାଙ୍କ ଶାଖା ପ୍ରତିଷ୍ଠା ହେଲେ, ସଂପୃକ୍ତ ଅଂଚଳବାସୀ ବ୍ୟାପକ ଭାବେ ଉପକୃତ ହୋଇପାରନ୍ତେ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ନର ନାରାୟଣ ଜେନା, ବିଭୂତି ସାହୁ, କଲ୍ଲୋଳ ଲେଙ୍କା, ସେକ୍ ଜଫିରୁଦ୍ଦିନ୍, ସେକ୍ ଲାଲୁ, ସେକ୍ ମୁନା, ସେକ୍ ପପୁ, କୁଟିଆ ନାୟକ, ବାବୁ ବାରିକ, ମୁନ୍ନା ପରିଡା, ଧବଳେଶ୍ୱର ପଣ୍ଡା, ନୁର ମହମ୍ମଦ ଖାଁ, ମନୋଜ ଜତି, ଦେବବ୍ରତ ରାଉତରାଏ, ବୈଲୋଚନ ଲେଙ୍କା, ଅରୁଣ ମଜୁମଦାରଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।