ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସମସ୍ତ ୩୦ ଜିଲ୍ଲା ମଧ୍ୟରୁ ଭଦ୍ରକ ଜିଲ୍ଲା ବାରିହୋଇପଡେ। ଭଦ୍ରକର ଐତିହ୍ୟ,ସଂସ୍କୃତି , ପରମ୍ପରା, କିମ୍ବଦନ୍ତୀ, ଲୋକ କଥା, ଲୋକ ଜୀବନୀ ସ୍ୱତନ୍ତ୍ର। ଭାରତର ସ୍ୱାଧୀନତା ସଂଗ୍ରାମକୁ ଭଦ୍ରକର ଦାନ ଅତୁଳନୀୟ। ଭାରତ ଇତିହାସରେ ଭଦ୍ରକ ଯୁଗ ଯୁଗ ଧରି ଇତିହାସର ମୁକସାଖି ହୋଇ ରହିବ ଏଥିରେ ସନ୍ଦେହ ନାହିଁ। ରକ୍ତ ତୀର୍ଥ ଇରମର ପରି ବେୱା , ମଣି ବେଜ୍ ଓ ୨୯ ଜଣ ସହିଦ , ଲୁଣିଆର ୯ଜଣ ସହିଦ ଆମ ଜାତିର ସଂପତି ହୋଇ ରହିବେ। ଭଦ୍ରକ ମାଟିର ବରପୁତ୍ର ସର୍ଦ୍ଦାର ମୁରଲୀଧର ପଣ୍ଡା, ବିପ୍ଳବୀ ବୈଷ୍ଣବ ଚରଣ ନାୟକ, ଜାତୀୟକବି ବାଞ୍ଛାନିଧି ମହାନ୍ତି , କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ, ନାଟ୍ୟଭୁଷଣ ବଂଶୀବଲ୍ଲଭ ଗୋସ୍ୱାମୀ , ନାରୀକବି ବିଦ୍ୟୁତ୍ ପ୍ରଭା ଦେବୀ, ଜାହ୍ନବୀ ଦେବୀ, କୋକିଳା ଦେବୀ, ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନୀଳମଣି ରାଉତରାୟ ପ୍ରମୁଖ କାଳ କାଳକୁ ଅମର ହୋଇ ରହିବେ ଏଥିରେ ସନ୍ଦେହ ନାହିଁ । ତାଙ୍କର ପ୍ରଚାର ପ୍ରସାର କରିବା ଆମର କର୍ତବ୍ୟ ହେବା ଉଚିତ୍ ବୋଲି ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଏବଂ ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ମହୋତ୍ସବର ଷଷ୍ଠ ସନ୍ଧ୍ୟାକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଆହୁରି ମଧ୍ୟ ମାନ୍ୟବର ମନ୍ତ୍ରୀ କହିଥିଲେ, ଆମ ସମାଜର ପ୍ରତ୍ୟେକ ବ୍ୟକ୍ତି ମାନବୀୟ ସଂସ୍କୃତି ସହିତ ବୌଦ୍ଧିକ ଚିନ୍ତା ଚେତନା ଉପରେ ପ୍ରାଧାନ୍ୟ ଦେବା ଉଚିତ୍।ଭଦ୍ରକ ଜିଲ୍ଲା ମହୋତ୍ସବ-୨୦୨୫ର ଏହି ଭବ୍ୟ ସଂଧ୍ୟାରେ ଯୋଗଦେବାର ସୁଯୋଗ ପ୍ରାପ୍ତ ହେଲା। ଭଦ୍ରକର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରାକୁ ନିକଟରୁ ଅନୁଭବ କରିବାର ସୁଯୋଗ ମିଳିଲା। ଏହି ମହୋତ୍ସବରେ ପ୍ରଦର୍ଶିତ କଳାକାରମାନଙ୍କର ଅଦ୍ଭୁତ ପ୍ରତିଭା ଅତ୍ୟନ୍ତ ପ୍ରଶଂସନୀୟ। ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ ଓ ଜୀବନ୍ତ ରଖିଥିବା ଜିଲ୍ଲା ପ୍ରଶାସନ, ସ୍ଥାନୀୟ କଳାକାର ଏବଂ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଉଛି।” ଜାତୀୟକବି ବାଞ୍ଛାନିଧି ମହାନ୍ତି ମଂଚ”ର ” ଆମେ ଓ ଆମ ସଂସ୍କୃତି “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।ସମ୍ମାନିତ ଅତିଥି ଭାବେ କମିଟିର ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ କବି ପ୍ରମୋଦ ରା଼ୟଙ୍କୁ ମନ୍ତ୍ରୀ ଶ୍ରୀମାନ ସୁରଜ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା ବେଦ ପାଠ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କଳିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଦେଶାତ୍ମକ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ପ୍ରଭାତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ଆଂଚଳିକ ଡେନ୍ସ ଗ୍ରୁପର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଭଦ୍ରକ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ପାଲା, ଦାସକାଠିଆ ଏବଂ ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣା ପଡ଼ିଛି।