ଭଦ୍ରକ, ୧୩ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଭଣ୍ଡାରୀପୋଖରୀର ମାନ୍ୟବର ବିଧାୟକ ସଂଜୀବ୍ କୁମାର ମଲ୍ଲିକ କହିଥିଲେ, କଳା, ସାହିତ୍ୟ ଓ ସଂସ୍କୃତିର ମାଟି ହେଉଛି ଭଦ୍ରକ। ଏ ଭଦ୍ରକ ମାଟି କଳା,ସଂସ୍କୃତି,ଐତିହ୍ୟ ସମେତ ରାଜନୈତିକ କ୍ଷେତ୍ରରେ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାରିଛି । ପୂଜା ପାର୍ବଣ ହେଉ ବା ମେଳା ମହୋଦୟ ଆପଣାର ମଣିଷମାନଙ୍କୁ ପାଖରେ ପାଇବାର ସୁଯୋଗ ଆଣି ଦେବା ସହିତ ଏ ସମ୍ପର୍କର ସୁତାଖିୟକୁ ଆହୁରି ମଜଭୂତ କରିବା ପାଇଁ ସାଜି ଥାଏ ମାଧ୍ୟମ। ଏପରିକି ମଂଚରେ ନିଜର କଳା ପ୍ରତିଭା ପରିବେଷଣ କରିଥିବା ସମସ୍ତ କଳାକାର କୁନି ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସଫଳତା ହାସଲ କରି ନିଜ ପାଇଁ ଏବଂ ଏହି ଭଦ୍ରକ ମାଟି ପାଇଁ ଗୌରବ ଆଣିବା ସହ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି, ଯାହାର ଅନେକ ଦୃଷ୍ଟାନ୍ତ ରହିଛି। ଭଦ୍ରକର ସାମ୍ବାଦିକ ମାନେ ଭୁଲ୍ କାମକୁ ସବୁବେଳେ ଆଇନା ଦେଖେଇ ଥାଆନ୍ତି ସେଥିପାଇଁ ସେମାନେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। ଭଦ୍ରକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଭଦ୍ରକ ଜିଲ୍ଲା ମହୋତ୍ସବର ଯେଉଁଭଳି ଦୀର୍ଘ ଏଗାର ଦିନ ଧରି ମହୋତ୍ସବ ପାଳନ କରିବା ସହିତ ଭଦ୍ରକର ଐତିହ୍ୟ, ସଂସ୍କୃତି, ପରମ୍ପରା , କିମ୍ବଦନ୍ତୀ ଏବଂ ଇତିହାସକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ଏହି ଜିଲ୍ଲା ମହୋତ୍ସବ ଦିନେ ଓଡ଼ିଶାର ଇତିହାସ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ । ଏହି ମହୋତ୍ସବର ସମସ୍ତ କର୍ମକର୍ତାମାନଙ୍କ ନିରବଚ୍ଛିନ୍ନ ପ୍ରୟାସକୁ ମୁଁ ଅନ୍ତର ଭରା କୃତଜ୍ଞତା ଜଣାଇବା ସହିତ ମହୋତ୍ସବର ଦୀର୍ଘଜୀବୀ କାମନା କରୁଛି। ଉପ ଆରକ୍ଷୀ ଅଧିକ୍ଷକ ସମ୍ବିତ କୁମାର ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଭଦ୍ରକ ତଥା ବାଲେଶ୍ୱର ଭଳି ପୂର୍ବ ଓଡ଼ିଶାର ପ୍ରବୃଦ୍ଧ ସାହିତ୍ୟିକଙ୍କ ରଚନା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି। ବ୍ୟାସକବି ଫକୀରମୋହନ ସେନାପତି , କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନାଟ୍ୟଭୁଷଣ ବଂଶୀ ବଲ୍ଲଭ ଗୋସ୍ୱାମୀ, କବିବର ରାଧାନାଥ ରାୟ ହେଉଛନ୍ତି ତାର ଜ୍ୱଳନ୍ତ ଉଦାହରଣ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଅମିତାଭ ଦାସ ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ଭଦ୍ରକର ଦାନ ଅବିସ୍ମରଣୀୟ। ଏ ଜାତି କେବେ ବି ଭୁଲି ପାରିବ ନାହିଁ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ, ବଂଶୀବଲ୍ଲଭ ଗୋସ୍ୱାମୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କୃଷ୍ଣ ପ୍ରସାଦ ବେହେରା, ଉମାକାନ୍ତ ବେହେରା , ସୁଧାକର ନନ୍ଦ, ନାଟ୍ୟାଚାର୍ୟ୍ୟ ରଘୁନାଥ ପଣ୍ଡାଙ୍କ ଭଳି ପ୍ରଥିତଜଶା ଭାଷା ସାହିତ୍ୟ ସାଧକମାନଙ୍କୁ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାରସ୍ୱତ ସାଧକ ତଥା ସମାଜସେବୀ ଏସ ଏମ ଫାରୁକ୍, ଲଲାଟେନ୍ଦୁ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ କବି ପ୍ରମୋଦ ରାୟ କହିଥିଲେ ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ଭଦ୍ରକର ଦାନ ଅତୁଳନୀୟ। ଭଦ୍ରକ ମାଟିରେ ବହୁ ସାରସ୍ୱତ ସାଧକ ,ସାହିତ୍ୟିକ, ନାଟ୍ୟକାର, କଳାକାର ଜନ୍ମ ନେଇ ଭାଷା ସାହିତ୍ୟର ଶ୍ରୀବୃଦ୍ଧି କରିଛନ୍ତି। ଏହି ଅବସରରେ ବିଶିଷ୍ଟ ସାରସ୍ୱତ ସାଧକ ନାଟ୍ୟକାର ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ଗୀତିନାଟ୍ୟ ” ପ୍ରହ୍ଲାଦ ଚରିତ ” ଏବଂ ପଥପ୍ରାନ୍ତ ନାଟକ ” ପ୍ରଗତି ପଥରେ ନାରୀ ” ନାମକ ଦୁଇଗୋଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ” କବି ବିଦ୍ୟୁତ୍ ପ୍ରଭା ଦେବୀ ମଂଚ”ର ” ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ଭଦ୍ରକର ଦାନ “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଲକ୍ଷ୍ମୀଧର ଦାସ ବେଦ ପାଠ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ଶିକ୍ଷାଭାରତୀ, ଦମୟନ୍ତୀ ନାଥଙ୍କୁ କବିଭାର୍ଗବୀ, ଇଂ ଶଶାଙ୍କ ଶେଖର ପଣ୍ଡାଙ୍କୁ ଯୁବ ଗୀତିକବି ସମ୍ମାନ, ସୁମିତ୍ରା ପାଣିଙ୍କୁ କବିଗୌରବ, ନିର୍ମଳ ଚନ୍ଦ୍ର ରାଉତଙ୍କୁ ନାଟ୍ୟଭାରତୀ, ଆଶିଷ କୁମାର ମିଶ୍ରଙ୍କୁ ଶିକ୍ଷାଗୌରବ ଏବଂ ଗୀତାଞ୍ଜଳି ଦାସଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା ଅପରାଜିତା ନୃତ୍ୟ ଏକାଡେମୀର କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କଳିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଦେଶାତ୍ମକ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ଅପରାଜିତା ନୃତ୍ୟ ଏକାଡେମୀର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାବଣଛାୟା ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। ବିଶେଷଭାବେ ମୋଗଲ ତାମସା ସମସ୍ତଙ୍କୁ ବିମୋହିତ କରିଥିଲା।କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, କଳା ସମ୍ପାଦକ ଚୂଡ଼ାମଣି ଦାସ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଶଶିକଳା ମିଶ୍ର , ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପାନନ୍ଦ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଡିସେମ୍ବର ୨ତାରିଖରୁ ଆରମ୍ଭ ୧୨ତାରିଖ ଦିନ ଉଦଯାପିତ ହୋଇଯାଇଛି ।