Odiapua.com

ଚଣ୍ଡିଗାଁ ପଞ୍ଚାୟତରେ ଗଣତନ୍ତ୍ରକୁ ହତ୍ୟା, ବିଡ଼ିଓଙ୍କ ଉପସ୍ଥିତିରେ ସରପଞ୍ଚକୁ ଆକ୍ରମଣ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ଅନ୍ତର୍ଗତ ଚଣ୍ଡିଗାଁ ଗ୍ରାମ ପଞ୍ଚାୟତର ବାର୍ଷିକ ସମୀକ୍ଷା ବୈଠକ ଚାଲିଥିଲା ସମୟରେ ଚଣ୍ଡିଗାଁ ସରପଞ୍ଚ ଅଭିମନ୍ୟୁ ଯେନାଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସାବରଙ୍ଗ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ପ୍ରକାଶ ଯେ ଗତକାଲି ଦିନରେ ଭଦ୍ରକ ବିଡିଓ, ଏବିଡିଓ, ଡିପିଓ, ଏଇ, ଜିପିଓ, ଏପିଓ, ପିଇଓ, ଜିଆର୍‌ଏସ୍ ପ୍ରମୁଖଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ବାର୍ଷିକ ସମୀକ୍ଷା ବୈଠକ ଚାଲୁଥିବା ବେଳେ ଚଣ୍ଡିଗାଁ ପଞ୍ଚାୟତର କିଛି ଅସାମାଜିକ ବ୍ୟକ୍ତି ଯଥା- ଚଣ୍ଡିଗାଁ ଗ୍ରାମର ଅଜିତ ପରିଡ଼ା, ଶ୍ରବଣ କୁମାର ପଲ୍ଲାର, ପଗଡ଼ ଗ୍ରାମର କୈଳାସ ଚନ୍ଦ୍ର ମହାକୁଡ଼, ପ୍ରଭଞ୍ଜନ ଦାସ ମହାପାତ୍ର ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ସରକାରୀ କାର୍ଯ୍ୟରେ ବାଧା ଦେବା ସହ ସରପଞ୍ଚଙ୍କୁ ଧକ୍‌କା ମାରିବା ସହିତ ଅଶାଳୀନ ଭାଷାରେ ଗାଳି ଦେଇଥିଲେ। ଏ ନେଇ ସରପଞ୍ଚ ଅଭିମନ୍ୟୁ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଏଥି ସହିତ ଜିଲ୍ଳାପାଳ ଏବଂ ଏସ୍‌ପିଙ୍କୁ ଜଣାଇଛନ୍ତି। ତୁରନ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଅଭିମନ୍ୟୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।