Odiapua.com

ଚଣ୍ଡିଖୋଲ-ଭଦ୍ରକ ରାଜରାସ୍ତା ପାଲଟିଛି ମରଣଯନ୍ତା, ଡିବିଏଲ୍ କଂପାନୀ ସଚେତନ ନହେଲେ କାର୍ଯ୍ୟାଳୟ ବନ୍ଦ ସହ ରାଜରାସ୍ତାରେ ଆନ୍ଦୋଳନ ହେବ – ବିଷ୍ଣୁ ସେଠୀ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବର୍ତ୍ତିତ ଓ ପରିବର୍ଦ୍ଧିତ ପରିସ୍ଥିତିକୁ ନେଇ ରାଜରାସ୍ତା ସଂପ୍ରସାରଣ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଚଣ୍ଡିଖୋଲ-ଭଦ୍ରକ ରାସ୍ତାର ସଂପ୍ରସାରଣ ଯେଉଁଭଳି କଚ୍ଛପ ଗତିରେ ଆଗେଇ ଚାଲିଛି, ତାହା ଅତ୍ୟନ୍ତ ଅମାନବୀୟ ଓ ଜନବିରୋଧୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀୟ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ କ୍ଷୋଭର ସହ କହିଛନ୍ତି । ଆଜି ଶ୍ରୀ ସେଠୀ ଭଦ୍ରକ କୁଆଁସସ୍ଥିତ ତାଙ୍କ ବାସଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଆଜକୁ ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ହେବ ଡିବିଏଲ୍ କଂପାନୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ତାହା ଶତକଡା ୧୦ ଭାଗ ମୁଣ୍ଡି ମରିନାହିଁ । ଦୁଇପାଶ୍ୱର୍ରେ ଯାତାୟତ କରୁଥିବା ଯାନବାହନ ଗୋଟିଏ ପାଶ୍ୱର୍ର ଯିବାଆସିବା କରିବା ଦ୍ୱାରା ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଏପରିକି ଚଣ୍ଡିଖୋଲ-ଭଦ୍ରକ ଅଧିକାଂଶ ସମୟରେ ପ୍ରାୟ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହେବା ଫଳରେ କଟକ-ଭୁବନେଶ୍ୱରକୁ ଯାଉଥିବା ଆମ୍ବୁଲାନ୍ସ ଠିକ୍ ସମୟରେ ରୋଗୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ôଚ ପାରୁନାହିଁ । ଗୁରୁତର ଭାବେ ପ୍ରଭାବିତ ରୋଗୀମାନଙ୍କର ରାସ୍ତାରେ ଜୀବନ ଯାଉଛି । ଯେଉଁଠି ଦେଖିବ, ରାସ୍ତା ଖୋଲାମେଲା । କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ପ୍ରଲମ୍ବିତ ଏହି ଜାତୀୟ ରାଜପଥ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ସମଗ୍ର ଭାରତବର୍ଷରେ । ମାତ୍ର ନିର୍ମାଣକାରୀ ସଂସ୍ଥା ଏହାକୁ ଏକ ଗ୍ରାମୀଣ ରାସ୍ତା ଭାବେ ବିବେଚନା କରୁଥିବା ଭଳି ମନେ ହେଉଛି । ନିର୍ଦ୍ଦିଷ୍ଟ ଲମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିସାରି ପୁଣି ଗୋଟେ୍ ପ୍ୟାଚ୍‌କୁ ହାତକୁ ନେଇ କାମ କରିଥିଲେ ଜନସାଧାରଣ ଏତେ ପରିମାଣରେ ଦୁର୍ଦ୍ଦଶା ଭୋଗନ୍ତେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ରାସ୍ତାର କାର୍ଯ୍ୟ ଅବଧି କେତେ, ରାସ୍ତାର ନିର୍ମାଣ ମୂଲ୍ୟ କେତେ ଏବଂ ରାସ୍ତା ସଂପୂର୍ଣ୍ଣ ହେବା ପାଇଁ ଅଧିକନ୍ତୁ କେତେ ଟଙ୍କା ଓ ସମୟ ଲୋଡା ତାହା ଜନସାଧାରଣଙ୍କ ନିକଟରେ ଏକ ବିରାଟ ପ୍ରଶ୍ନବାଚୀ ହୋଇରହିଛି । ଏଭଳି ସମସ୍ୟାର ଆଶୁ ସମାଧାନ ନିମିତ୍ତ ଜିଲାପାଳମାନେ ତ୍ୱରିତ ପଦକ୍ଷେପ ନେବାକୁ ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଭଦ୍ରକର ଜନସାଧାରଣ ତଥା ବିଜେପିର କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଲିଖିତ ଭାବେ ଅଭିଯୋଗ ପ୍ରଦାନ କରିବେ । ଯଦି ଡିବିଏଲ୍ କଂପାନୀ ନିଜ ଦାୟିତ୍ୱ ନିର୍ବାହରେ ସଚେତନ ନହୁଅଁନ୍ତି, ତେବେ ଆସନ୍ତା ଦିଗରେ ଧାମନଗର ଛକଠାରୁ ନଳାଙ୍ଗ ସ୍ଥିତ ଡିବିଏଲ୍ ଅଫିସ୍‌କୁ ବନ୍ଦ କରିଦିଆଯିବା ସହ ରାସ୍ତାରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଶ୍ରୀ ସେଠୀ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି । ଏତଦ୍‌ବ୍ୟତୀତ ଏହି ପ୍ରସଙ୍ଗ ବିଧାନସଭାରେ ଉତ୍ଥାପନ କରି ରାଜ୍ୟର ରାଜରାସ୍ତା ପ୍ରାଧିକରଣର ମୁଖ୍ୟ ଓ ପୂର୍ତ୍ତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।