Odiapua.com

ଚଢା ଦରରେ ବିକ୍ରି ହେଉଛି ମଦ: ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୧୬/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରରେ ଥିବା ପ୍ରାୟ ସମସ୍ତ ମଦ ଦୋକାନରେ ଚଢା ଦରରେ ମଦ ବିକ୍ରି କରାଯାଉଛି। ଏ ନେଇ ସମାଜସେବୀ ସମୀର କୁମାର ଚାନ୍ଦ ଜିଲାପାଳଙ୍କ ନିକଟରେ ବୁଧବାର ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ମଦ କେତେ ଟଙ୍କାରେ ବିକ୍ରି ହେବ ସେ ନେଇ ସରକାର ମୂଲ୍ୟ ଧ୍ୟାର୍ଯ୍ୟ କରିଛନ୍ତି। ଏହି ମୂଲ୍ୟରେ ୧୫ ପ୍ରତିଶତ କୋଭିଡ କର ରହିଛି। ଯେଉଁ କର ପୂର୍ବରୁ ୫୦ ପ୍ରତିଶତ ଥିବା ବେଳେ ସରକାର ତାହାକୁ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି। ହେଲେ ସାଧାରଣ ଲୋକଙ୍କୁ ମଦ ମାଫିଆମାନେ ଲୁଟିବାରେ ଲାଗିଛନ୍ତି। ସେମାନଙ୍କ ଠାରୁ ୫୦ ପ୍ରତିଶତ କର ଆଦାୟ କରୁଛନ୍ତି। ଏ ନେଇ ଲୋକେ ପ୍ରତିବାଦ କଲେ ସେମାନଙ୍କୁ ବିଭିନ୍ନ ବାହୁବଳୀ ଯୁବକଙ୍କ ଦ୍ୱାରା ଧମକ ଦିଆଯାଉଛି। ତେଣୁ ବାଧ୍ୟହୋଇ ଲୋକେ ଚଢା ଦରରେ ମଦ କିଣୁଛନ୍ତି ବୋଲି ଶ୍ରୀ ଚାନ୍ଦ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମଦ ଦୋକାନ ସମ୍ମୁଖରେ ପ୍ରତ୍ୟେକ ମଦର ଦର ତାଲିକା ଲଗାଯାଉ। ଏହାସହ କୌଣସି ଅଭିଯୋଗ ଥିଲେ ଅବକାରୀ ବିଭାଗ ଅଧିକାରୀଙ୍କ ଫୋନ ନମ୍ବର ସେହି ତାଲିକା ବୋର୍ଡରେ ରହୁ। ଏହାଦ୍ୱାରା ଦୋକାନୀମାନେ ଗ୍ରାହକଙ୍କୁ ଠକିବାକୁ ସାହସ କରିବେ ନାହିଁ।