Odiapua.com

ଚକାଡୋଳା ଶୀତଳଭଣ୍ଡାର ଉପରେ ଦେଢକୋଟି ଜରିମାନା ଲଗାଇଛି ଟାଟା ପାୱାର, ଜରିମାନାକୁ ବେଆଇନ କହିଲେ ପରିଚାଳକ, ସଙ୍କଟରେ ୨ଶହ କର୍ମଜୀବୀ ମହିଳାଙ୍କ ଭବିଷ୍ୟତ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଛତାବର-ବଳିଘାଇ ପୁର୍ତ୍ତରାସ୍ତାର ପର୍ବତୀ ଠାରେ ଥିବା ରାଜ୍ୟର ସର୍ବବୃହତ ଚକାଡୋଳା ଶୀତଳଭଣ୍ଡାର ଉପରେ ଟାଟା ପାୱାର ପକ୍ଷରୁ ଦେଢକୋଟି ଟଙ୍କାର ଜରିମାନା ଲଗାଇଥିବା ଜଣାଯାଇଛି । ଆଗାମୀ ୧୫ ତାରିଖ ସୁଧା ଜମାନଦେଲେ ବିଦ୍ୟୁତ ଯୋଗାଣ ବନ୍ଦ କରିବାକୁ ଧମକ ଦେଇଛି । ଅନ୍ୟପକ୍ଷରେ ଏହି ଜରିମାନାକୁ ବେଆଇନ ଦର୍ଶାଇଛନ୍ତି ଶୀତଳଭଣ୍ଡାର ପରିଚାଳକ ଉଦୟନାରାୟଣ ନନ୍ଦ । ଶୀତଳଭଣ୍ଡାର ଭିତ୍ତିଭୂମିକୁ ଉପଯୋଗ କରି ଦୈନିକ ୩ଟନ ଛତୁ ଉତ୍ପାଦନ କରି ରାଜ୍ୟର ଗୌରବ ବଢାଇବା ସହ ତମାମ ରାଜ୍ୟକୁ ଛତୁ ଯୋଗାଇବାକୁ ସମର୍ଥ ହୋଇଥିବା ଏହି ଶୀତଳଭଣ୍ଡାର ଉପରେ ଟାଟା ପାୱାର ଅଯଥାରେ ୧କୋଟି ୪୭ଲକ୍ଷ ଟଙ୍କା ଜରିମାନା ଯୋଗୁଁ ଏଥିରେ ନିୟୋଜିତ ୨ଶହ କର୍ମଜିବୀ ମହିଳାଙ୍କ ଭବିଷ୍ୟତ ଓ ଛତୁ ଉତ୍ପାଦନ ଅନ୍ଧାରକୁ ଯିବା ନେଇ ଆଶଙ୍କା ଉପୁଜିଛି । ଶୀତଳଭଣ୍ଡାର ପରିଚାଳକ ଶ୍ରୀ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ ୨୦୧୬ ମସିହାରେ ଆଳୁ ମିଶନ ଯୋଜନାରେ ପ୍ରତିଷ୍ଠିତ ଏହି ଶତଳଭଣ୍ଡାରକୁ ‘କୃଷି-ଶିଳ୍ପ କାର୍ଯ୍ୟ’ ଆଧାରରେ ବିଦ୍ୟୁତ ଯୋଗାଣ ୟୁନିଟ ପିଛା ୩ଟଙ୍କା ହାରରେ ଧାର୍ଯ୍ୟ ହୋଇଥିଲା । ୨ ବର୍ଷ ପରେ ସ୍ଥାନୀୟ କଞ୍ଚାମାଲ ଅଭାବରୁ ଶୀତଳଭଣ୍ଡାର ବନ୍ଦ ହୋଇଯାଇଥିଲା । ହେଲେ ଶୀତଳଭଣ୍ଡାର ବିଦ୍ୟୁତ ବିଲ୍ ଖିଲାପ କରିନଥିଲା । ୨୦୨୨ ମସିହାରେ ପରିଚାଳକ ଶ୍ରୀ ନନ୍ଦ ଛତୁ ଉତ୍ପାଦନ ପାଇଁ ପଦକ୍ଷେପ ନେଇ ସଫଳ ହୋଇଥିଲେ । ଛତୁ ଉତ୍ପାଦନକୁ ‘କୃଷି କାର୍ଯ୍ୟ’ ଭାବେ କୃଷି ଉଦ୍ୟାନ ବିଭାଗ ମାନ୍ୟତା ଦେଇଛି ।

ପୁନଶ୍ଚ ୨୦୧୯ ଅଗଷ୍ଟ ୨୭ ତାରିଖ ଗେଜେଟ ନୋଟିଫିକେସନ ଅନୁଯାୟୀ ଛତୁ ଉତ୍ପାଦନ ‘କୃଷି କାର୍ଯ୍ୟ’ ପାଇଁ ବିଦ୍ୟୁତ ଯୋଗାଣ ଦର ୟୁନିଟ ପିଛା ୧ଟଙ୍କା ୫୦ ପଇସା ହେବ ବୋଲି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଧାର୍ଯ୍ୟ କରିଛି । ମାତ୍ର ବିଦ୍ୟୁତ ବିଭାଗ ଏହାକୁ ଗ୍ରହଣ କରିନଥିବାରୁ ଶୀତଳଭଣ୍ଡାର ଅଦ୍ୟାବଧି ୟୁନିଟ ପିଛା ୩ଟଙ୍କା ପୂର୍ବ ଦରରେ ଦେୟ ନିୟମିତ ଭାବେ ପୈଠ କରୁଛି । ଯଦିଓ ଶୀତଳଭଣ୍ଡାର ର କାର୍ଯ୍ୟ ପରିବର୍ତ୍ତନ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇନଥିଲା, ତଥାପି ନ୍ୟାୟସଙ୍ଗତ ବ୍ୟବସ୍ଥା ଅନୁଯାୟୀ ଶୀତଳଭଣ୍ଡାର ୟୁନିଟ ପିଛା୧ଟଙ୍କା ୫୦ ପଇସା ଦରରେ ବିଦ୍ୟୁତ ପାଇବାକୁ ହକଦାର ଥିବା ବେଳେ ଗତ ୧୫ ତାରିଖରେ ଟାଟା ପାୱାର ପକ୍ଷରୁ ଅଚାନକ ୧କୋଟି ୪୬ଲକ୍ଷ ଜରିମାନା ନୋଟିସ ପଠାଯାଇଛି । ରାଜ୍ୟର ଅନ୍ୟାନ୍ୟ ଶୀତଳଭଣ୍ଡାରକୁ ୧ଟଙ୍କା ୫୦ ପଇସା ଦରରେ ବିଦ୍ୟୁତ ଯୋଗାଉଥିବା ଟାଟା ପାୱାର ଶୀତଳଭଣ୍ଡାର ଉପରେ ବିଦ୍ୟୁତ ବିଭାଗ କାହିଁକି ଦାଉ ସାଧୁଛି ତାହାକୁ ନେଇ ଦ୍ୱନ୍ଦରେ ପଡିଛି ଶୀତଳଭଣ୍ଡାର କତ୍ତୃପକ୍ଷ । ଏହି ଜରିମାନାକୁ ବେଆଇନ ଓ ଶୀତଳଭଣ୍ଡାର ଉପରେ ଜୁଲମ ବୋଲି ଅଭିହିତ କରିଛନ୍ତି ଶ୍ରୀ ନନ୍ଦ । ଏହାଦ୍ୱାରା ଶୀତଳଭଣ୍ଡାରକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଇଛି ବୋଲି ମତ ରଖିଛନ୍ତି ଶ୍ରୀ ନନ୍ଦ । ଏଥିଯୋଗୁ ଜୀବିକା ହରାଇବାକୁ ଯାଉଥିବା ୨ଶହ ମହିଳାଙ୍କ ବେକାରୀ ପାଇଁ ଟାଟା ପାୱାର ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଏ ସମ୍ପର୍କରେ ଶୁଣାଣୀ ହୋଇଛି ଓ ଏଥିନେଇ ବୁଝାମଣା ଭିତ୍ତିକ ନିଷ୍ପତ୍ତି ହୋଇପାରେ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପାଢୀ ମତରଖିଛନ୍ତି ।