Odiapua.com

ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ଵଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ

– ଓଡ଼ିଶାର ପ୍ରାୟ ୮ ହଜାର ଗ୍ରାମର ଲକ୍ଷାଧ୍ଵ ଲୋକ ଉପକୃତ ହେବେ
– ପୂର୍ବରୁ ଚକବନ୍ଦୀ ନିୟମ ଉଲଂଘନ କରି ବିକ୍ରୟ, ହସ୍ତାନ୍ତର, ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ

ଭୁବନେଶ୍ୱର, ୦୪/୦୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫–‘ଟି’ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଚକବନ୍ଦୀ ଜମିର ବିକ୍ରୟ/ ହସ୍ତାନ୍ତର। ବଣ୍ଟନ ପ୍ରତିବନ୍ଧକ ସମସ୍ୟାର ସମାଧାନ କରିବା ନିମନ୍ତେ ସରକାର ଅଣ୍ଟା ଭିଡ଼ିଥିଲେ। ଏଠାରେ ସୂଚନାଯୋଗ୍ୟ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡବିଖଣ୍ଡନକୁ ରୋକିଥାଏ ଏବଂ ଉକ୍ତ ଆଇନ ଉଲ୍ଲଘନ କରି କରାଯାଇଥିବା ଯେକୌଣସି ଜମି ହସ୍ତାନ୍ତରୀକରଣ କିମ୍ବା ବଣ୍ଟନ ବେଆଇନ ଥିଲା। ଏହି ପ୍ରତିବନ୍ଧକଗୁଡିକ ଲୋକମାନଙ୍କର ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ଏବଂ ସେମାନେ ଆବଶ୍ୟକତା ସମୟରେ ନିଜ ଜମିର ବିକ୍ରୟ/ ହସ୍ତାନ୍ତର/ ବଣ୍ଟନ କରିବାରୁ ବଞ୍ଚିତ ହେଉଥିଲେ। ଏହି ପ୍ରତିବନ୍ଧକ ଜମି ରେକର୍ଡଗୁଡିକର ସଂଶୋଧନରେ ପ୍ରତିବନ୍ଧକ ସୃଷ୍ଟି ସହ ଜମି ଦଖଲ ନିମନ୍ତେ ଭବିଷ୍ୟତରେ ମକଦ୍ଦମା ସୃଷ୍ଟି କରିବାରେ ଏକ ପ୍ରମୁଖ କାରଣ ହେଉଥିଲା।

ଏହି ସମସ୍ୟାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ଵ ଟାସ୍କଫୋର୍ସରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଓ ପରିବର୍ତ୍ତିତ ପରିସ୍ଥିତିରେ ଉକ୍ତ ଅଧ୍ୱନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଯାହା ପରେ ଓଡିଶା ବିଧାନ ସଭାରେ ପାରିତ ହୋଇ ବିଧି ବିଭାଗ ଦ୍ଵାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଛି।

ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧ୍ଵକ ଲୋକ ଲାଭବାନ ହେବେ ଓ ଚକ ଜମିର ବିକ୍ରୟ/ ହସ୍ତାନ୍ତର। ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ।

ଏହା ସହ ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ/ ହସ୍ତାନ୍ତର। ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ।

ସରକାରଙ୍କର ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନୂଆ ବର୍ଷରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଆଣିଛି।