Odiapua.com

ଘୋଡ଼ା ନାଚ କଳାକାରଙ୍କୁ ଆର୍ଥିକ ସହାୟତା ପାଇଁ ଦାବି

ତିର୍ତ୍ତୋଲ୨୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମହାମାରୀ ସାରା ଦେଶ ଓ ରାଜ୍ୟରେ ବ୍ୟାପିବାରେ ଲାଗିଛି। ଏବେ ରାଜ୍ୟରେ ଲକଡ଼ାଉନ ଥିବାବେଳେ ଜନସମାଗମ ଠାରୁ ଆରମ୍ଭ କରି ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ଯାହାଫଳରେ ବହୁ କଳାକାରଙ୍କ ପରିବାର ଅଭାବ ଅନାଟନ ଭିତରେ ଗତି କରୁଛି। ରାଜ୍ୟ ନିଖିଳ ଉତ୍କଳ ଚଇତାଳି ଘୋଡ଼ାନାଚ ମହାସଂଘ ପକ୍ଷରୁ ତାଙ୍କ ପରିବାର ପ୍ରତିପୋଷଣ ନିମନ୍ତେ ଆର୍ôଥକ ସହାୟତା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ମହାସଂଘରେ ରାଜ୍ୟର ୭୦ ଦଳ (ଏକଦଳ ୧୦ ଜଣ) କଳାକାର ପ୍ରତ୍ୟେକ ବର୍ଷ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗାଁ ଗହଳିରେ ଚଇତି ଘୋଡ଼ା ନାଚ ମାଧ୍ୟମରେ କଳା ପରିବେଷଣ କରି ବର୍ଷକର ଆର୍ଥିକ ସ୍ଥିତିକୁ ମଜବୁତ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ କରୋନା ପ୍ରଭାବରେ ସମସ୍ତ ରାଜ୍ୟରେ ଲକଡ଼ାଉନ ଥିବାବେଳେ ଏହି କଳାକାର ମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। ଏହି ମହାସଂଘର ସ୍ୱଳ୍ପମାତ୍ରାରେ କଳାକାର ଭତ୍ତା ପାଉଥିବାବେଳେ ଅନ୍ୟ କଳାକାରମାନଙ୍କ ବୟସ ହୋଇନଥିବାବେଳେ ସେମାନେ କଳାକାର ଭତ୍ତାରୁ ବଞ୍ଚିତ ଅଛନ୍ତି। ଯାହାଫଳରେ ବହୁ କଳାକାର ଏବେ ଦୁର୍ଦ୍ଦିନ ଅବସ୍ଥାରେ ଦିନ କାଟୁଛନ୍ତି। ଏହି କଳାକାର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ରାଜ୍ୟ ନିଖିଳ ଉତ୍କଳ ଚଇତାଳି ମହାସଂଘର ସଭାପତି ରମେଶ ଚନ୍ଦ୍ର ରାଉଳ ଓ ବିଭିନ୍ନ ଜିଲ୍ଲାରୁ ବିମ୍ବାଧର ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ମୋହନ ଚନ୍ଦ୍ର ବେହେରା, ବେଣୁଧର ଓଝା, ରମେଶ ଚନ୍ଦ୍ର ରାଉତ, ହେମନ୍ତ କୁମାର ରାଉତ, ସୁଦର୍ଶନ ବେହେରା, ରାମଚନ୍ଦ୍ର ବେହେରା, ମଣି ସାହୁ, ସୁରେନ୍ଦ୍ର ଦଳାଇ, ଦେବକି ବେହେରା, ବିପ୍ରବୋଷ ମାଝି, ଶୁକଦେବ ପରିଡ଼ା, ଗୋପାଳ ଚନ୍ଦ୍ର ବେହେରା, ଦେବେନ୍ଦ୍ର ନାଥ ବେହେରା, ଜଟାଧାରି ବେହେରା, ସନ୍ତୋଷ ବେହେରାଙ୍କ ସମେତ ଅନ୍ୟ କଳାକାରମାନେ ଦାବି କରିଛନ୍ତି।