Odiapua.com

ଘେରବନ୍ଦୀ ଥିବା ୨ ଯୁବକ ବିଷ ପିଇବା ପ୍ରସଙ୍ଗ – ସରକାରୀ ଜମିକୁ ନେଇ କୋର୍ଟରେ ଚାଲିଛି ମାମଲା – ଉଚ୍ଛେଦ ପାଇଁ ପ୍ରଶାସନର ପଦକ୍ଷେପ ଉପଜିଲାପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ସ୍ଥିତିବାନ ସରକାରୀ ଜମିକୁ ନେଇ କୋର୍ଟରେ ମାମଲା ଚାଲିଥିବାବେଳେ ଏହାର ଉଚ୍ଛେଦ ଦିଗରେ ପ୍ରଶାସନର ପଦକ୍ଷେପ ଉପରେ ଅଦାଲତର ରହିତାଦେଶ ଏକ ସଂକଟମୟ ପରିସ୍ଥିତି ଉପୁଜାଇଛି। ଯାହାଫଳରେ ୩ଟି ପରିବାର ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ହେବ ଘରୁ ବାହାରକୁ ବାହାରି ନପାରିବା ନେଇ ଗତକାଲି ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାରଙ୍କ ଉପସ୍ଥିତିରେ ୨ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏବେ ସଂପୃକ୍ତ ଦୁଇଜଣ ଗୁରୁତର ଭାବେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଦେଇ କଟକରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ସଂପର୍କରେ ଯାହା ଜଣାଯାଏ ଏହି ଜିଲାର ତିହିଡି ତହସିଲ ଅଧୀନ ନନ୍ଦପୁର ଗ୍ରାମର କିଛି ଜମି ଜଣେ ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ହୋଇଥିଲା। ପରବର୍ତ୍ତୀ କିଛିବର୍ଷ ପରେ ସେହି ଜମି ସରକାରୀ ଜମାକୁ (ରାସ୍ତା) କିସମରେ ହୋଇଥିଲା। ଏହି ଜମିରେ ପୂର୍ବରୁ ଥିବା ଜମି ମାଲିକ ଦୀର୍ଘଦିନ ହେବ ଗୃହ ନିର୍ମାଣ କରି ବସବାସ କରିଆସୁଛନ୍ତି। ଅପରପକ୍ଷେ ଅନ୍ୟ ଏକ ପରିବାର ସେଠାରେ ରହିଆସୁଥିବାବେଳେ ଉକ୍ତ କାରଣ ଯୋଗୁଁ ଘରୁ ବାହାରି ପାରୁନଥିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହାକୁ ନେଇ ବିଭିନ୍ନ କୋର୍ଟରେ ମାମଲା ମଧ୍ୟ ଚାଲିଛି। ତେବେ ଉକ୍ତ ପରିବାର ଘରୁ ବାହାରି ନପାରିବା ଭଳି ଦୁଃଖଦ ଘଟଣାକୁ ଆଖି ଆଗରେ ରଖି ପ୍ରଶାସନ ସରକାରୀ ରାସ୍ତାରେ ଥିବା ଗୃହକୁ ଉଚ୍ଛେଦ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେଉଥିବାବେଳେ ଭଦ୍ରକ ଜିଲା ଜଜ୍ କୋର୍ଟରେ ଉପଜିଲାପାଳଙ୍କ ଉଚ୍ଛେଦ ନିର୍ଦ୍ଦେଶ ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ସେଥିରେ ପ୍ରତିବନ୍ଧକ ହୋଇଥିଲା। ଏଣୁ ଘରୁ ବାହାରି ପାରୁନଥିବା ପରିବାରର ଦୁଇଜଣ ବ୍ୟକ୍ତି ପ୍ରଶାସନର ତୁରନ୍ତ ଉଚ୍ଛେଦ କରିବା ଦାବି ଶୀଥିଳ ହେବାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି କଟକ ସ୍ଥାନାନ୍ତର ହୋଇଥିଲେ। ପ୍ରଶାସନିକ ସ୍ତରରୁ ଜଣାପଡିଛି ଯେ ନନ୍ଦପୁର ଗ୍ରାମର କିଛି ଜମି (ଏ୦-୧ ଡି-) ଜଣେ ବ୍ୟକ୍ତିଙ୍କ ସ୍ଥିତିବାନ ହୋଇ ପୂର୍ବରୁ ରହିଆସିଥିଲା। ପରେ ୨୦୦୪ ମସିହାରେ ଏହି ଜମି ଖାତା ନଂ ୪୫, ପ୍ଲଟ୍ ନଂ ୧୫୯ ରେ ରାସ୍ତା କିସମର ହୋଇ ସରକାରୀ ଜମାକୁ ଚାଲିଯାଇଥିଲା। ଏହାକୁ ନେଇ କମିଶନରଙ୍କ କୋର୍ଟରେ ୬୦/୨୦, ଭଦ୍ରକ ସିଭିଲ୍ ଜଜ୍ କୋର୍ଟରେ ୧୮୮/୨୦ ରେ ମାମଲା ଚାଲୁଅଛି। ରାସ୍ତା କିସମର ସରକାରୀ ଜାଗାରେ ଥିବା ବାସଗୃହ ପାଇଁ ଅନ୍ୟ ପରିବାର ଘରୁ ବାହାରି ପାରୁନଥିବା ନେଇ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ରିପୋର୍ଟ ଦାଖଲ କରିଥିଲେ। ପରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ତ୍ୱରିତ ପଦକ୍ଷେପ ମୂଳକ ଉପଜିଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ସହ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବାକୁ ଲେଖିଥିଲେ। ଉପଜିଲାପାଳ ସମସ୍ତ ବିଷୟ ହୃଦୟଙ୍ଗମ କରି ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜମିର ମାପଚୁପ ପ୍ରଶାସନ ପକ୍ଷରୁ ଗତମାସ ୨୪ ତାରିଖରେ ହୋଇଥିଲା। ସେହିଦିନ ହିଁ ତହସିଲଦାର ରିପୋର୍ଟ ଦାଖଲ କରିଥିଲେ। ଉପଜିଲାପାଳ ଗତ ୨୬ ତାରିଖରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଉଚ୍ଛେଦ କାର୍ଯ୍ୟରେ ତହସିଲଦାର ଫୋର୍ସ ଦେବାକୁ ସ୍ଥାନୀୟ ଥାନାର ଥାନାଧିକାରୀଙ୍କୁ ଜଣାଇଥିଲେ। ଏହି ସମୟରେ ବ୍ଲକ୍‌ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭଦ୍ରକ ଜିଲା ଜଜ୍‌କୋର୍ଟ ଉପଜିଲାପାଳଙ୍କ ଉଚ୍ଛେଦ ନିର୍ଦ୍ଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେଇଥିଲେ। ଏହି ମାମଲାରେ ଉପଜିଲାପାଳ, ତହସିଲଦାର ଓ ଓଡ଼ିଶା ସରକାରଙ୍କୁ ପକ୍ଷଭୁକ୍ତ କରାଯାଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଜବାବ ଦେବାକୁ କୁହାଯାଇଛି। ଆସନ୍ତା ୮ ତାରିଖରେ ଶୁଣାଣି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ତାଙ୍କ କହିବା ମୂଳେ ଏହା ହେଉଛି ଦୀର୍ଘଦିନର ଜମିଜମା ବିବାଦ। ସ୍ଥିତିବାନରୁ କଟି କେମିତି ସରକାରଙ୍କ ହାତକୁ ଆସିଲା, ତାହା ସେ ଜାଣିନାହାଁନ୍ତି। କିନ୍ତୁ କିଛି ଜମିକୁ ନେଇ କୋର୍ଟରେ ମାମଲା ଚାଲିଛି। କୋର୍ଟ ଯାହା ରାୟ ଶୁଣାଇବେ, ପ୍ରଶାସନ ତାହା କାର୍ଯ୍ୟକାରୀ କରିବ।