ଭଦ୍ରକ, ୨ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଘେଂଟଶ୍ୱର ଅଂଚଳକୁ ଅପରାଧ ମୁକ୍ତ କରିବା, ଶାନ୍ତି ଫେରାଇ ଆଣିବା, ଉକ୍ତ ଅଂଚଳରେ ନୂତନ ଥାନା ପ୍ରତିଷ୍ଠା କରିବା ଦାବିରେ ଭଦ୍ରକ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମାଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଡିଆଇବି) ଅଂଶୁମାନ ଦ୍ୱିବେଦୀ , ବାଂଶଡା ଥାନାଧିକାରୀ ମହମ୍ମଦ ହାଫିଜ୍ ଙ୍କ ସହ ଘେଂଟଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ କର୍ମକର୍ତା ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପୋଲିସ୍ ପ୍ରଶାସନ ସହିତ ଘେଂଟଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ ର ସଭାପତି ଅଞ୍ଜନ କୁମାର ଦାସ, ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ, ଉପଦେଷ୍ଟା ବରିଷ୍ଠ ଚାଷୀ ନେତା ସର୍ବଶ୍ରୀ ଚନ୍ଦ୍ର ମଣି ଦାସ, ଜୟୀରାମ ଦାସ, ଚକ୍ରଧର ଦାସ, ଶ୍ରୀନାଥ ଦାସ ଓ ଯୁବ ନେତା ହାକିମ ଦାସ ପ୍ରମୁଖ ଆଲୋଚନା ରେ ଉପସ୍ଥିତ ଥିଲେ । ଘେଂଟଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ ର ଦାବିକୁ ଗ୍ରହଣ କରି ଘେଂଟଶ୍ୱର ଅଂଚଳରେ ନୂତନ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ଗୃହ ବିଭାଗ ଓ ଅର୍ଥ ବିଭାଗକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଛି ଓ ୬ ମାସ ମଧ୍ୟରେ ନୂତନ ଥାନା ପ୍ରତିଷ୍ଠା ହେବ ବୋଲି ଜିଲ୍ଲା ପୋଲିସ୍ ପ୍ରଶାସନ ଆଶାବାଦୀ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ଘେଂଟଶ୍ୱର ଠାରେ ନୂତନ ଥାନା ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ବାଂଶଡା ଥାନା ଓ ଘେଂଟଶ୍ୱର ପୋଲିସ ଫାଣ୍ଡି କୁ ଅଧିକ ସଂଖ୍ୟକ ପୋଲିସ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମହାସଂଘ ର କର୍ମକର୍ତା ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ଫାଙ୍କା ପଡିଥିବା ଚାନ୍ଦବାଲି ଏସଡିପିଓ ଙ୍କ ପଦବୀ ତୁରନ୍ତ ପୂରଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ । ଘେଂଟଶ୍ୱର କୁ ଅପରାଧ ମୁକ୍ତ କରିବା ପାଇଁ ଅଭ୍ୟାସଗତ ଅପରାଧୀ ମାନଙ୍କୁ ଗିରଫ, ପୋଲିସ ପେଟ୍ରୋଲିଂ କୁ କଡାକଡି କରିବା, ଘେଂଟଶ୍ୱର, ଖଦାଳପୋଖରୀ ଓ ତୋଟାପଡା ଠାରେ ସିସିଟିଭି ଲଗାଇବାକୁ ଜିଲ୍ଲା ପୋଲିସ୍ ପ୍ରଶାସନ ପ୍ରତିଶୃତି ଦେଇଥିଲେ । ଘେଂଟଶ୍ୱରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳ ହୋଇଥିବା ବେଳେ ଆସନ୍ତା ୭ ଦିନ ମଧ୍ୟରେ ଘେଂଟଶ୍ୱର ଅଂଚଳର ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ଲୋକଙ୍କ ସହଯୋଗରେ ଶାନ୍ତି ଫେରାଇ ଆଣିବାକୁ ଜିଲ୍ଲା ପୋଲିସ୍ ପ୍ରଶାସନ ସଂପୂର୍ଣ୍ଣ ଚେଷ୍ଟା କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମାଡକର ସନ୍ଦୀପ ସମ୍ପଦ ଘେଂଟଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ ର କର୍ମକର୍ତା ମାନଙ୍କୁ ପ୍ରତିଶୃତି ଦେଇଥିଲେ ।