Odiapua.com

‘ଘାସଫୁଲ’ ପ୍ରଥମ ବର୍ଷ ସମ୍ମାନ ଉତ୍ସବ, ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି ଭଦ୍ରକ

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଭଦ୍ରକର ସର୍ବକାଳୀନ ସାରସ୍ୱତ ଅବଦାନ ରୁଦ୍ଧିମନ୍ତ କରିଛି । ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଜାତୀୟ କବି ବାଞ୍ଛାନିଧି ମହାନ୍ତି, କବିଶେଖର ଚିନ୍ତାମଣି ମହାନ୍ତିଙ୍କ ପର୍ଯ୍ୟନ୍ତ, ପୁଣି କଥାକାର ନିତ୍ୟାନନ୍ଦ ମହାପାତ୍ର, କବି ବିବେକ ଜେନା, ସାହିତ୍ୟିକ ପୀତାମ୍ବର ସ୍ୱାଇଁ, କବି କମଳାକାନ୍ତ ଲେଙ୍କା ଓ କବି ନିତ୍ୟାନନ୍ଦ ପତିଙ୍କ ମହାର୍ଘ ଅବଦାନ ଓଡ଼ିଆ ସାହିତ୍ୟିକୁ ଯଶସ୍ୱୀ କରିଛି । ତେବେ ଓଡ଼ିଆ ସାହିତ୍ୟର ସାରସ୍ୱତ ମହକ ଭଦ୍ରକ ମାଟିର ଯେଉଁ କାଳଜୟୀ କବି ତଥା କଥାକାରଙ୍କ ସୃଜନ ସଂପଦକୁ ନେଇ ଚିର ସବୁଜ ସେମାନଙ୍କ ଅବଦାନର ଅବମୂଲ୍ୟାୟନକୁ ନେଇ ବକ୍ତାମାନେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ବିଶିଷ୍ଟ ସମାଲୋଚକ ଡ. ଶଶଧର ଦାସଙ୍କ ପୌରୋହିତ୍ୟରେ ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ଆୟୋଜିତ ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ପ୍ରଥମ ବର୍ଷ ସମ୍ମାନ ଉତ୍ସବରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ସଙ୍ଗୀତ ଗାୟକ ରୁଦ୍ର ମାଧବ ଓ ମନମୋହନ ସଂଗୀତ ପରିଷଦର ଛାତ୍ରଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

ସଭାରେ ‘ଘାସଫୁଲ’ ର ସଂପାଦକ ବିଧାୟକ ବିଷ୍ଣୁ ସେଠୀ ଭଦ୍ରକ ଜିଲାର ସାରସ୍ୱତ ସାଧକ ମାନଙ୍କୁ ପ୍ରୋତ୍ସାହନ ପୂର୍ବକ ସମ୍ମାନିତ କରିବା ପାଇଁ ଏକ ଯୋଜନା ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ‘ଘାସଫୁଲ’ ସମ୍ମାନ ପ୍ରାପ୍ତ ସାହିତ୍ୟିକ ଡ. ନାରାୟଣ ପଣ୍ଡା ତାଙ୍କ ବକ୍ତବ୍ୟରେ ‘ଘାସଫୁଲ’ ସଂପାଦକଙ୍କ ଏଭଳି ଏକ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ସାଧୁବାଦ ଅର୍ପଣ କରିବା ସହ ଅତୀତରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟଭାବେ କାର୍ଯ୍ୟନିର୍ବାହ କରୁଥିବା ବେଳର ସ୍ମୃତିଚାରଣ କରି କହିଥିଲେ ଜାତୀୟ ରାଜପଥ ଦେଇ ବାଲେଶ୍ୱରକୁ ଗଲାବେଳେ ଭଦ୍ରକ ମାଟିରେ ପହଞ୍ôଚଲେ ସ୍ୱତଃପ୍ରବୃତ୍ତ ଭାବେ ମୋ ଆଖି ଆଗରେ ଝଲସି ଉଠେ ସ୍ୱର୍ଗତଃ କାନ୍ତକବି, କବିଶେଖର ଚିନ୍ତାମଣି ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖଙ୍କ ଚିତ୍ରପଟ । କଥିତ ଏ ମାଟିର ଯଶସ୍ୱୀ ସାରସ୍ୱତ ସ୍ରଷ୍ଟାଙ୍କୁ ସମୁଚିତ ସମ୍ମାନ ଦେବାରେ ଘୋର ଅବହେଳା କରାଯିବା ଅନସ୍ୱୀକାର୍ଯ୍ୟ । ଅନ୍ୟମାନଙ୍କ ମଧ୍ୟରେ ‘ଗୋକର୍ଣ୍ଣିକା’ ସାହିତ୍ୟ ପତ୍ରିକାର ସଂପାଦକ ରମାକାନ୍ତ ଜେନା, ‘ଅପୂର୍ବା’ ସଂପାଦକ କ୍ଷୀରୋଦ ପତି, ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଅଦୈତ୍ୟ ପାତ୍ର, ସମାଜସେବୀ ତଥା ‘ଘାସଫୁଲ’ ର ପରିଚାଳନା ସଂପାଦକ ବ୍ୟୋମକେଶ ସେନାପତି, ପଣ୍ଡିତ ଦୈତ୍ୟାରି ମହାପାତ୍ର, ଅଧ୍ୟାପକ ନିହାର ରଂଜନ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ‘ଘାସଫୁଲ’ ପ୍ରଥମ ସମ୍ମାନ-୨୦୨୧ ବାବଦରେ ଅର୍ଥରାଶି, ଉତ୍ତରୀୟ ଓ ଅଭିନନ୍ଦନ ପତ୍ର ଡ. ନାରାୟଣ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା ।