Odiapua.com

ଘଷିପୁରା ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରଦାନ ସହ ସିସିଟିଭି ଲଗାଯାଉ:ବିଜେପି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୧୬/୦୪ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲାର ଘଷିପୁରା ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବୁଥ ରିଗିଂ ଏବଂ ବୁଥ କ୍ୟାପଚରିଂ ହେବାର ଆଶଙ୍କା ରହିଛି। ପୂର୍ବରୁ ଏନେଇ କେନ୍ଦୁଝର ସିଟିଜେନ ଫୋରମ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇ ନିର୍ବାଚନ ପରିଚାଳନାରେ ସୁବ୍ୟବସ୍ଥା କରିବା ପାଇଁ ଦାବି କରିଥିଲା। ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ଦଳର ଗୁଣ୍ଡାମାନଙ୍କର ପାର୍ଦୁଭାବ ରହିଥିବାରୁ ସେମାନେ ଆଇନକୁ ହାତକୁ ନେଇ କିଛି ବି ଅଘଟଣ ଘଟାଇପାରନ୍ତି। ସାଧାରଣ ଲୋକ ମାନଙ୍କୁ ଜୋର ଜବରଦସ୍ତି ବିଜେଡିକୁ ଭୋଟ ଦେବା ପାଇଁ ଧମକାଇଥିବାର ଉଦାହରଣ ପୂର୍ବ ନିର୍ବାଚନମାନଙ୍କରେ ରହିଛି। ଏହାକୁ ଦୃଷ୍ଟିରେ ରଖି ସେହି ଦୁଇଟି ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ସିସିଟିଭି ଲଗାଇ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ଘଷିପୁରା ନିର୍ବାଚନମଣ୍ଡଳୀର ୨୦୧୪ ମସିହାର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ମାର୍ଚ୍ଚ ଶେଷ ସପ୍ତାହରେ ହତ୍ୟା କରାଯାଇଛି। ଘଷିପୁରାର ବିଧାୟକ ପ୍ରାର୍ଥୀ ତଥା ଶାସକ ଦଳର ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅଙ୍କ ନାଁ ରେ ଅନେକ କ୍ରିମିନାଲ ରେକର୍ଡ ରହିଛି। ତାଙ୍କ ପୁଅ ଏନେକ ଥର ଜେନ ଯାଇ ଫେରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଘଷିପୁରା ନିର୍ବାଚନ ମଣ୍ଡଳୀର ୪୦ଟି ବୁଥରେ ପ୍ରାୟୋଜିତ ଭାବେ ସରକାରୀ ରିଗିଂ କରାଯାଇଥିଲା। ଚଳିତ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ ମନ୍ତ୍ରୀ ଏବଂ ତାଙ୍କ ପୁଅ ଭୋଟରମାନଙ୍କୁ ଭୟଭୀତ କରାଇବା ଆରମ୍ଭ କଲେଣି। ସେହିପରି ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ସମାନ ସ୍ଥିତି ରହିଛି। ଏଣୁ ନିର୍ବାଚନକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗାଇବା ସହ ପ୍ରତ୍ୟେକ ବୁଥରେ ସିସିଟିଭି ଲଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ସଂପାଦିକା ଶ୍ରୀମନ୍ତିନୀ ଜେନା, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।