Odiapua.com

ଘର ମାଲିକଙ୍କୁ ପୁଲିସ୍ ଥଇଥାନ କରି ପୁନର୍ବାର ଘରୁ କାଢିଦେବା ପ୍ରସଙ୍ଗ , ନ୍ୟାୟ ପାଇଁ ସପରିବାରଙ୍କ ଅନଶନ, ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ପୁନର୍ବାର ଗୃହପ୍ରବେଶ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରବାଡିର ମାଲିକାନା ସତ୍ୱ ଥାଇ ପଲିଥିନ୍ ତଳେ ମୁଣ୍ଡ ଗୁଂଜି ଆସୁଥିବା ଏକ ପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ସେହିଦିନ ସେମାନଙ୍କୁ ନିଜ ଗୃହରେ ଥଇଥାନ କରିବାର କିଛି ସମୟ ପରେ ସେଠାରୁ ବାହାର କରିଦେବା ଘଟଣା ଚର୍ଚ୍ଚର ବିଷୟ ହୋଇଛି । ତେବେ ଏହି ପରିବାର ଏଭଳି ଘଟଣାରେ ହତାଶ ହୋଇ ପୁନର୍ବାର ଜିଲା ପୁଲିସ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଅନଶନରେ ବସିବା ପରେ ପୁଲିସ୍ ପ୍ରଶାସନର ନିଦ ଭାଙ୍ଗିଛି । ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ କୁମାର ଜେନା ସଦଳବଳେ ସେମାନଙ୍କୁ ନେଇ ଉକ୍ତ ଘରେ ଥଇଥାନ କରିଥିବାର ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗୁଜିଦରଡା ନିବାସୀ ଖଇରିଜାନ ବିବି ନିଜର ପରିବାର ସହ ତାଙ୍କ ସ୍ୱାମୀ ହାକିମୁଦ୍ଦିନ୍ ତାଙ୍କ ନାମରେ କରିଦେଇଯାଇଥିବା ପୈତୃକ ଓ ଶ୍ୱଶୁରଘର ସଂପତ୍ତି ଭୋଗ କରିଆସୁଥିଲେ । ସେମାନେ ଉକ୍ତ ଘରବାଡି ଓ ବାସଗୃହର ପଟ୍ଟା ପାଉତି ମୂଳେ ପାଇଥିବା ମାଲିକାନା ସତ୍ୱ ପାଇ ସପରିବାର ରହିଆସୁଥିବାବେଳେ କିଛିଦିନ ପାଇଁ ଘରେ ଚାବି ଦେଇ ବାହାରକୁ ଯାଇଥିଲେ । ମାତ୍ର ସେମାନେ ଘରକୁ ଫେରିବା ପରେ ତାଙ୍କର ସଂପର୍କୀୟ ସେକ୍ ଅନୱରଙ୍କ ପତ୍ନୀ ଆଫ୍ରୋଜା ବିବି, ସେକ୍ କାଲୋଙ୍କ ପତ୍ନୀ ସୁରତନ ବିବି ଓ ସେକ୍ ସେଖାୱତଙ୍କ ପତ୍ନୀ ମିନା ପରୱିନ୍ ଘରର ଚାବି ଭାଙ୍ଗି ନିଜ ଦଖଲକୁ ନେଇଯାଇଥିଲେ । ଫଳରେ ଉକ୍ତ ଜବରଦଖଲକୁ ନେଇ ସେ ଗୁଜିଦରଡା ଫାଣ୍ଡିରେ ୨ୟ ପକ୍ଷଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ସମସ୍ତ କବଲା ଓ ପଟ୍ଟା ପାଉତି ମୂଳେ ମାଲିକାନା ସତ୍ୱ ଖଇରିଜାନ ବିବିଙ୍କର ଥିବାର ଜାଣି ଦ୍ୱିତୀୟ ପକ୍ଷଙ୍କୁ ଘରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଦ୍ୱିତୀୟ ପକ୍ଷ ପୁଲିସ୍‌ର ନିର୍ଦ୍ଦେଶକୁ ନମାନି ପ୍ରଥମପକ୍ଷଙ୍କୁ ମାରଧର କରିବା ସହ ବାହାର ଅସାମାଜିକ ଲୋକଙ୍କୁ ଲଗାଇ ଭୟଭୀତ କରାଇଥିଲେ । ଫଳରେ ପ୍ରଥମ ପକ୍ଷ ବାର ଶୁଣ୍ଢି ପିଣ୍ଡା ହୋଇ ପଲିଥିନ୍ ତଳେ ଜୀବନ ଯାପନ କରିବା ମଧ୍ୟରେ ଜିଲାପାଳଙ୍କ ସମେତ ତହସିଲଦାର ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ନ୍ୟାୟ ପାଇବା ନେଇ ଗତମାସ ୨୦ ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଫଳରେ ପୁଲିସ୍ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଜ ଘରେ ଥଇଥାନ କରାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ଘରୁ ବାହାର କରିଦେଇଥିଲେ । ଯେଉଁଥିପାଇଁ ବାଧ୍ୟ ହୋଇ ସେମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇ ଅନଶନରେ ବସିଥିଲେ ।