ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଭଦ୍ରକ ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା ୩୦ମିନିଟ୍ ସମୟରେ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକଠାରେ ‘ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫’ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସେ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ଆଲୋକପାତ କରିଥିଲେ। ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫ର ବ୍ୟବସ୍ଥାଗୁଡ଼ିକୁ ତୃଣମୂଳ ସ୍ତରରେ ପହଂଚାଇବା ଏବଂ ପୀଡ଼ିତ ମହିଳାମାନଙ୍କୁ ଆବଶ୍ୟକ ସହାୟତା ଓ ସୁରକ୍ଷା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କନକଲତା ସାହୁ, ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ମୋନାଲିସା କର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି ବାନିଶିଖା ବିଶ୍ୱାଳ ଯୋଗଦେଇ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ଓ ଅନିବାର୍ଯ୍ୟତା ସମ୍ପର୍କରେ ମତପୋଷଣ କରିଥିଲେ। ସମ୍ବଳ ବ୍ୟକ୍ତି ଭାବେ ଭଦ୍ରକ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ପ୍ରଫୁଲ୍ଲ ସାମଲ ଯୋଗଦେଇ ଘରୋଇ ହିଂସା ମାମଲାର ଆଇନଗତ ଦିଗ, ପୀଡ଼ିତାଙ୍କ ଅଧିକାର ଓ ଆଇନ ଅନୁଯାୟୀ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା, ସମସ୍ତ ବ୍ଲକର ସରପଞ୍ଚ, ସଖୀ ୱାନ୍ ଷ୍ଟପ୍ ସେଂଟରର କେନ୍ଦ୍ର ପ୍ରଶାସକ ଏବଂ ଶକ୍ତି ସଦନର ଅଧୀକ୍ଷକମାନେ ଯୋଗଦେଇଥିଲେ। ଘରୋଇ ହିଂସାର ସମାଧାନ ପାଇଁ କ୍ଷେତ୍ରସ୍ତରରେ ଆବଶ୍ୟକ ବ୍ୟବହାରିକ ଦୃଷ୍ଟିକୋଣ ଏବଂ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସବିତା ବେହେରା କର୍ମଶାଳାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।