ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଆରଏମସି ମାର୍କେଟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି। ମୃତ ମହିଳା କର୍ମଚାରୀ ହେଲେ ଚାନ୍ଦବାଲି ଥାନା ଅଧୀନ କରାଣ୍ଡିମାଳ ଅଂଚଳର ବିଜୟ ସାହୁଙ୍କ ୨୧ ବର୍ଷୀୟା ଝିଅ ଶୁଭଲକ୍ଷ୍ମୀ ସାହୁ। ପ୍ରାଥମିକ ସୂଚନା ଅନୁଯାୟୀ, ଶୁଭଲକ୍ଷ୍ମୀ ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଆରଏମସି ମାର୍କେଟ ନିକଟସ୍ଥ “ଲାଇଫ୍ ହେଲଥ କେୟାର (ଚାନ୍ଦ ହସ୍ପିଟାଲ’)ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ହସ୍ପିଟାଲ ପରିସରରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁରୁଣାବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଘଟଣାସ୍ଥଳର ତଥ୍ୟ ସଂଗ୍ରହ କରାଯିବା ସହ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ତେବେ ଏହି ଘଟଣା ପଛରେ କ’ଣ କାରଣ ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ମୃତଦେହର ଆଇନଗତ ପ୍ରକ୍ରିୟା ଓ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ। ଏହି ଘଟଣାକୁ ନେଇ ମୃତ ଶୁଭଲକ୍ଷ୍ମୀଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତେବେ ଶୁଭଲକ୍ଷ୍ମୀଙ୍କ ମା” ଅତସିନୀ ସାହୁ ସ୍ଥାନୀୟ ଥାନାରେ ଏହା ଏକ ଆତ୍ମହତ୍ୟା ନୁହେଁ, ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।ଏଣୁ ପୋଲିସର ତଦନ୍ତ ପରେ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।