Odiapua.com

ଘରୋଇ ମିଲରଙ୍କୁ ମିଲ ଚଳାଇବାକୁ ଧାନ ମିଳୁନି , ତେଣେ ବାହାର ମିଲର ନିଯୁକ୍ତିରେ ଯୋଗାଣ ନିଗମ ତତ୍ପର

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ସରକାର ବାର୍ଷିକ ଯେତିକି ଧାନ ସଂଗ୍ରହ କରୁଛନ୍ତି ତାହା ଘରୋଇ ମିଲଙ୍କୁ ବର୍ଷ ସାରା ସେମାନଙ୍କ ମିଲ ଚଳାଇବାକୁ ନିୟଁଟ ହେଉଛି । ତେଣେ ଯୋଗାଣ ନିଗମ ଆଖିବୁଜା ବାହାର ମିଲର ନିଯୁକ୍ତି କରିବାରେ ଲାଗିଛନ୍ତି । ଯାହାକି ଋଣ କରଜ କରି ରାଇସମିଲ ପ୍ରତିଷ୍ଟା କରିଥିବା ଜିଲ୍ଲା ମିଲରଙ୍କୁ କ୍ଷୁବ୍ଧ କରିଛି । ଯୋଗାଣ ବିଭାଗ ସୁଚନା ଅନୁଯାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସରକାରୀ ଧାନ ସଂଗ୍ରହ ସକାସେ ୨୧ ଜଣ ଘରୋଇ ମିଲର ନିଯୁକ୍ତି କରିଥିବା ବେଳେ ବାହାର ଜିଲ୍ଲାରୁ ୧୦ ଗୋଟି ମିଲର ନିଯୁକ୍ତି ଦେଇଛନ୍ତି । ଏଥିରେ ପଡୋଶୀ ଯାଜପୁର ଜିଲ୍ଲାର ୨ ଗୋଟି ମିଲର ରହିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୮ ଗୋଟି ମିଲରଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ମିଳିଥିବା ଧାନ ସଂଗ୍ରହ କୋଟା ଅନୁଯାଇ ଜିଲ୍ଲାରୁ ୧୪ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରାଯିବ । ଏହି ଧାନକୁ ୧୫୨ ଗୋଟି ସରକାରୀ ଏଜେନ୍ସିଙ୍କ ଜରିଆରେ ସଂଗ୍ରହ କରାଯାଇ ମିଲରଙ୍କ ଜରିଆରେ ଚାଉଳ ସଂଗ୍ରହ କରିବାକୁ ବାହାର ଜିଲ୍ଲାର ୧୦ ଗୋଟି ମିଲରଙ୍କୁ ମିଶାଇ ୩୧ ଗୋଟି ମିଲର ନିଯୁକ୍ତି ଦିଆଯାଇଛି । ଜିଲ୍ଲାରେ ଘରୋଇ ମିଲରଙ୍କ ଧାନ ସଂଗ୍ରହ ପର୍ଯ୍ୟାପ୍ତ ହେଉନଥିବା ଦର୍ଶାଇ ଯୋଗାଣ ନିଗମ ପ୍ରତିବର୍ଷ ବାହାର ଜିଲ୍ଲାରୁ ୧୦ ରୁ ଉର୍ଦ୍ଧ ମିଲର ପିଯୁକ୍ତି କରୁଛନ୍ତି । ହେଲେ ତାହା ଝିଂଟିକାମାରୀ ବଣି ପୋଷିବା ସଦୃଶ ହୋଇଥିବା ସାବ୍ୟସ୍ତ ହୋଇଛି । ରାଜ୍ୟ ଯୋଗାଣ ନିଗମ କତୃପକ୍ଷଙ୍କର ବାହାର ଜିଲ୍ଲା ମିଲର ପ୍ରୀତି ପାଖରେ ବଳି ପଡୁଛନ୍ତି ଜିଲ୍ଲାର ଏକାଧିକ ମିଲର । ନିଜ ଜିଲ୍ଲାରେ ପ୍ରଚୁର ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ଏକଦା ଜିଲ୍ଲାରେ ରାଇସମିଲ ଶିଳ୍ପ ଉର୍ଦ୍ଧମୁଖି ହୋଇଥିଲା ।

ହେଲେ ମିଲ ଚଳାଇବାକୁ ସରକାରଙ୍କ ଠାରୁ ଆବଶ୍ୟକମତେ ଧାନ ନପାଇବାରୁ ଗୋଟି ଗୋଟି ହୋଇ ପ୍ରାୟ ୧୦ ରୁ ଉର୍ଦ୍ଧ ମିଲ ବନ୍ଦ ହୋଇ ଯାଇଥିବା ବେଳେ ଅଧିକାଂଶ ମିଲ ଋଗ୍‌ଣ ହୋଇପଡିଥିଲା । ଗୋଟିଏ ପଟରେ ସରକାରଙ୍କ ଘରୋଇ ମିଲ ମାରଣ ନୀତି ଅନ୍ୟପଟରେ ସରକାରୀ ଧାନ ସଂଗ୍ରହରେ ସାମିଲ ହେବାକୁ ମୋଟା ଅଙ୍କର ସିକ୍ୟୁରିଟି ଜିଲ୍ଲାର ବହୁ ମିଲରଙ୍କୁ ସରକାରୀ ଧାନ ସଂଗ୍ରହ ପ୍ରତି ନିରୁତ୍ସାହିତ କରିଥିଲା । ଫଳରେ ଏକଦା ଜିଲ୍ଲାରେ ସରକାରୀ ଧାନ ସଂଗ୍ରହରେ ୩୦ ରୁ ଉର୍ଦ୍ଧ ଜିଲ୍ଲା ମିଲର ସାମିଲ ହେଉଥିବା ବେଳେ ଏବେ ତାହା ୨୧ କୁ ଖସି ଆସିଛି । ମିଳିଥିବା ସୁଚନା ମୁତାବକ ଯୋଗାଣ ନିଗମ ବାହାର ଜିଲ୍ଲା ମିଲରଙ୍କୁ ଜିଲ୍ଲାରେ ଧାନ ସଂଗ୍ରହରେ କରିବାକୁ ଯେତିକି ସିକ୍ୟୁରିଟି ଜିଲ୍ଲା ମିଲରଙ୍କୁ ତାଠୁ ଅଧିକ ସିକ୍ୟୁରିଟି ଅର୍ଥ ଦାବୀ କରୁଛନ୍ତି । ସବୁଠାରୁ ବଡ କଥା ହେଲା ଭଦ୍ରକ ଜିଲ୍ଲାରେ ଏବେ ଯେତିକି ମିଲ ସରକାରୀ ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି ସେମାନଙ୍କ ମିଲିଙ୍ଗ କ୍ଷମତାର ୫୦ ପ୍ରତିଶତ ଧାନ ମଧ୍ୟ ସରକାର ଦେଉନାହାନ୍ତି । କମ୍ ସିକ୍ୟୁରିଟି ଆଳରେ ଯୋଗାଣ ନିଗମ ସେମାନଙ୍କ କ୍ଷମତାର ୫୦ ପ୍ରତିଶତ କମ୍ ଧାନ ଯୋଗାଇ ଦେଉଛନ୍ତି । ଫଳରେ କୋଟି କୋଟି ଟଙ୍କା ଖର୍ଚ କରି ରାଇସମିଲ ଶିଳ୍ପ ପ୍ରତିଷ୍ଟା କରିଥିବା ଜିଲ୍ଲା ଶିଳ୍ପଦ୍ୟୋଗୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ସୁଚନା ଅନୁଯାଇ ଜିଲ୍ଲାରେ ଛୋଟ-ବଡ ମିଶାଇ ଧାନ ସଂଗ୍ରହରେ ସାମିଲ ହୋଇଥିବା ୨୧ ଗୋଟି ମିଲରଙ୍କ ବାର୍ଷିକ ମିଲିଙ୍ଗ କ୍ଷମତା ୨୪/୨୫ ଲକ୍ଷ କ୍ୱିଂଟାଲରୁ କମ୍ ହେଉନଥିବା ବେଳେ ସେମାନଙ୍କୁ ଯୋଗାଣ ନିଗମ ଜରିଆରେ ବାର୍ଷିକ ମାତ୍ର ୧୪ ରୁ ୧୫ ଲକ୍ଷ କ୍ୱିଂଟାଲ ଧାନ ଉପଲବ୍ଧ ହେଉଛି । ଫଳରେ କ୍ଷମତା ଥାଇ ମଧ୍ୟ ଅଧିକଂଶ ମିଲରଙ୍କୁ ବର୍ଷର ଅନ୍ୟୁନ ୬ ମାସ ସେମାନଙ୍କ ମିଲ ବନ୍ଦ ରଖିବାକୁ ପଡୁଛି । ସୁଚନା ଯୋଗ୍ୟ ଯେ ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ରେକର୍ଡ ପରିମିତ ୬୯ ହଜାର ୬୫୨ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି ।