Odiapua.com

ଘରୋଇ ବସ୍ ମାଲିକଙ୍କ ମନଇଚ୍ଛା ଭଡା ଆଦାୟକୁ ନେଇ ସିପିଆଇଏମ୍ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ ପତ୍ର

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଘରୋଇ ବସ୍ ମାଲିକମାନଙ୍କ ମନଇଚ୍ଛା ଭଡା ଆଦାୟକୁ ନେଇ ଆଜି ସିିପିଆଇଏମ୍‌, ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଜିଲା କମିଟିର ସଭାପତି ଦିବ୍ୟସିଂହ ନାୟକ, ସଂପାଦକ ପ୍ରଫୁଲ୍ଲ ପାଢୀ, ପ୍ରଭାସ ଚନ୍ଦ୍ର ମହାପାତ୍ର, ଚନ୍ଦ୍ରଶେଖର ନାୟକ ଓ ରାଧା ଦାସ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଜିଲାରେ ସମସ୍ତ ରୁଟ୍‌ରେ ଚାଲୁଥିବା ଘରୋଇ ବସ୍ ଗୁଡିକ ସରକାରୀ ଘୋଷିତ ଭଡା ଆଦାୟ ନକରି ମନଇଚ୍ଛା ଭଡା ଆଦାୟ କରୁଛନ୍ତି। ଏହାର ପ୍ରତିବାଦ କରି ତିହିଡି ଅଂଚଳର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ଜନଶୁଣାଣୀ ସମୟରେ ସେଠାରେ ଏକ ଦାବିପତ୍ର ଦିଆଯାଇଥିଲା। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଭିଆଇ ଓ ଆରଟିଓଙ୍କ ପକ୍ଷରୁ ଗତ ମାର୍ଚ୍ଚ ୨୯ ଓ ୩୦ ତାରିଖରେ ତିହିଡିରେ ସମସ୍ତ ବସ୍‌କୁ ତଦାରଖ କରାଯାଇ ସେମାନଙ୍କ ଠାରୁ ୨ ଦିନରେ ପ୍ରାୟ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତେବେ କମିଟି ପକ୍ଷରୁ କରାଯାଇଥିବା ଅଭିଯୋଗ ମୂଳେ ଏହା କେବଳ ତିହିଡି, ଭଦ୍ରକ-ଚାନ୍ଦବାଲି ରୁଟ୍‌ର ସମସ୍ୟା ନୁହେଁ, ସମଗ୍ର ଜିଲାର ସମସ୍ତ ରୁଟ୍‌ରେ ଏହିଭଳି ପ୍ରାୟ ଦୁଇଗଣ ଭଡା ମନଇଚ୍ଛା ଆଦାୟ କରାଯାଉଛି। ଭଦ୍ରକ-ବାସୁଦେବପୁର, ଭଦ୍ରକ-ଆରଡି, ଭଦ୍ରକ-ଧାମନଗର-ଦୋବଲ, ଭଦ୍ରକ-ମଂଜୁରୀରୋଡ୍‌, ଭଦ୍ରକ-ଆଗରପଡା, ଭଦ୍ରକ-ବନ୍ତ-ବସନ୍ତିଆ ଭଳି ସମସ୍ତ ରୁଟ୍‌ରେ ସରକାର ଘୋଷଣା କରିଥିବା କିମି ପିଛା ୮୮ ପଇସା, ଏକ୍ସପ୍ରେସ୍ ବସ୍ ଭଡା ୯୨ ପଇସା ଏବଂ ଏସି ବସ୍ ୧.୩୫ ପଇସା ପରିବର୍ତେ ବହୁ ଅଧିକ ଅର୍ଥ ଆଦାୟ କରାଯାଉଛି। କୌଣସି ଯାତ୍ରୀମାନଙ୍କୁ ଟିକେଟ୍ ଦିଆଯାଉନାହିଁ ଏବଂ ସଂପୃକ୍ତ ବସ୍ ନାମ ଓ ନମ୍ବର ରହୁନାହିଁ। ଏହାର ଦୃଢ ପ୍ରତିବାଦ କରାଯାଇ ତୁରନ୍ତ ଜିଲାସ୍ତରରେ ଏକ ବୈଠକ ଡକାଯାଇ ବସ୍ ମାଲିକ ସଂଘ, ଆରଟିଓ, ଏମଭିଆଇଙ୍କ ସହ ଅଭିଯୋଗକାରୀ ଜନସାଧାରଣଙ୍କୁ ଡକାଯାଇ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ଜନସାଧାରଣଙ୍କ ଅସନ୍ତୋଷକୁ ରୋକାଯାଇପାରିବ ବୋଲି ସଭାପତି ଶ୍ରୀ ନାୟକ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେବେ ଜିଲାପାଳ ଏହି ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ଆସନ୍ତା ୨୬ ତାରିଖ ଦିନ ଆରଟିଓ ଓ ବସ୍ ମାଲିକ ସଂଘକୁ ଡାକି ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।