ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡ଼ି ଛକରେ ଥିବା ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ କୁ ନେଇ ତୀବ୍ର ଉତେଜନା ଦେଖାଦେବାରୁ ଡାକ୍ତରଖାନାରୁ ଡାକ୍ତରଙ୍କୁ ପୋଲିସ ଗ୍ରାମାଂଚଳ ଥାନାକୁ ଉଠାଇ ନେଇଥିଲା। ଏଠାରେ ସୂଚନାଯୋଗ୍ୟ ଗତକାଲି ଧୂଷୁରୀ ଥାନା ଅଧିନସ୍ଥ ଗୋବିନ୍ଦପୁର ପଂଚାୟତ ଅଜମତପୁର ଗ୍ରାମର ଅଭୟ ଜେନାଙ୍କୁ ଝାଡା ବାନ୍ତି ହେବାରୁ ତାଙ୍କ ପୁତ୍ର ବିଶ୍ୱରଞ୍ଜନ ଜେନା ଓ ପରିବାର ଲୋକମାନେ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରିଥିଲେ। ତେବେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ଭଦ୍ରକ ଆରଡିଛକରେ ଥିବା ଏକ ଘରୋଇ ନର୍ସିଂହୋମ୍କୁ ନେଇଆସିଥିଲେ। ଗ୍ରାମାଂଚଳ ଥାନାରେ ବିଶ୍ୱରଂଜନ କରିଥିବା ଅଭିଯୋଗ ମୂଳେ ଉପରୋକ୍ତ ନର୍ସିଂହୋମ୍ରେ ତାଙ୍କ ପିତାଙ୍କୁ ଆଡମିଶନ କରାଯିବା ପରେ ରାତିରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ଏଣୁ ପରିବାର ଲୋକେ ଅଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରିୟରଂଜନ ବାରିକଙ୍କୁ ଫୋନ୍ ଯୋଗେ ଡାକିଥିଲେ ମଧ୍ୟ ସେ ନଆସି ନର୍ସଙ୍କୁ ଯେଉଁ ଇଂଜେକସନ ଦେବାକୁ କହିଥିଲେ, ତାହା ଦେବାପରେ ସକାଳେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଭୟଙ୍କ ପରିବାର ଲୋକେ ଡାକ୍ତର ପ୍ରିୟରଂଜନଙ୍କୁ ଘେରି ତାଙ୍କର ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବାରୁ ଉତେଜନା ପରିସ୍ଥିତି ସୃଷ୍ଟି କରିଥିଲେ। ଖବର ପାଇ ପୁଲିସ୍ ନର୍ସିଂହୋମ୍ରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଥାନାକୁ ଉଠାଇନେଇଥିଲେ। ତେବେ ଏହି ଘଟଣାରେ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରୁଥିବାବେଳେ ଡାକ୍ତର ପ୍ରିୟରଂଜନ ବାରିକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉଥିଲେ ମଧ୍ୟ ହଠାତ୍ ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ଘଟିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ ଆପୋଷ ବୁଝାମଣା ପରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି । ଏବଂ ଥାନାରେ ଦେଇଥିବା ଏତଲାଟିକୁ ବିଶ୍ୱରଂଜନ ଉଠାଇନେଇଥିବାର ଜଣାପଡିଛି।