Odiapua.com

ଘରୋଇ ଜମିରେ ରାସ୍ତାନିର୍ମାଣ ବିଲ୍‌କୁ ଗ୍ରାମବାସୀଙ୍କ ବିରୋଧ

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବିରୋଳି ହରିଜନସାହିର ରାସ୍ତା ନିର୍ମାଣର କାମଚଳା ବିଲ୍ ପିଛିଲା ଭାବେ ପ୍ରସ୍ତୁତ କରାଯାଉଥିବାରୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ବିରୋଳି ମୁଖ୍ୟ ରାସ୍ତା ଠାରୁ ହରିଜନ ସାହି ପର୍ଯ୍ୟନ୍ତ ରାସ୍ତା ପଞ୍ଚାୟତର ୨୦୨୦-୨୧ ଆର୍ଥୀକ ବର୍ଷ ଅର୍ଥରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ପୁହାଣଙ୍କ ନାମରେ ନିର୍ମାଣ କରାଯାଇଛି। ଏଥିପାଇଁ ଗୋଟିଏ ଅସମ୍ପୁର୍ଣ୍ଣ ତଥ୍ୟ ଥିବା ସୂଚନା ଫଳକ ସ୍ଥାପନ କରାଯାଇଥିବା ବେଳେ ଅବଶିଷ୍ଟ ଦୁଇଲକ୍ଷ ଟଙ୍କାର କାର୍ଯ୍ୟ ପାଇଁ ସୂଚନା ଫଳକ ଲଗାଯାଇ ନାହିଁ। ସୂଚନା ଫଳକରେ ରାସ୍ତା ସହ ଡ୍ରେନ ନିର୍ମାଣ ଉଲ୍ଲେଖ ଥିବା ବେଳେ ଡ୍ରେନ ନିର୍ମାଣ କରାଯାଇ ନାହିଁ। କିନ୍ତୁ ରାସ୍ତାର କିଛି ଅଂଶ ହରିଜନସାହିର ନାରଣ ଯେନା ଓ ସୁଦାମ ଯେନାଙ୍କ ଘରୋଇ ଜମିରେ ବଳ ପୂର୍ବକ ନିର୍ମାଣ କରାଯାଇଛି। ନିର୍ମାଣ ସମୟରେ କ୍ଷତିଗ୍ରସ୍ତ ଦଳିତ ପରିବାର ପ୍ରତିବାଦ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇ କେତେ ଜଣ ଆହତ ହେବା ସହ ଫୌଜଦାରୀ ମାମଲା ଋଜୁ ହୋଇଥିଲା। ଏ ସମ୍ପର୍କରେ ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ବିଲ୍ ପୈଠ ବନ୍ଦ ରଖାଯାଇଥିଲା। ମାତ୍ର ପଞ୍ଚାୟତ ନିର୍ବାଚନ ସରିବା ପରେ ପିଛିଲା ଭାବେ ପଞ୍ଚାୟତ ଦାଇତ୍ୱରୁ ବର୍ଷେ ହେବ ଅନ୍ତର ହୋଇଥିବା କନିଷ୍ଠ ଯନ୍ତ୍ରୀ କାମଚଳା ବିଲ୍ ପ୍ରସ୍ତୁତ କରି ପୈଠ ପାଇଁ ଆଗଭର ହେଉଥିବା ନେଇ ସାନି ଅଭିଯୋଗ ହୋଇଛି। ଏଭଳି କୁକାର୍ଯ୍ୟ କୁ ପ୍ରଶୟ ଦେଉଥିବାରୁ ବ୍ଲକ ପ୍ରଶାସନର ସ୍ୱଚ୍ଛତା ପ୍ରତି ଅଙ୍ଗଳି ନିର୍ଦ୍ଦେଶ ମଧ୍ୟ କରାଯାଇଛି। ଏଥିନେଇ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଅନୁଧ୍ୟାନ କରିାକୁ କୁହାଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି।