Odiapua.com

ଘରୋଇ କଳିକୁ କେନ୍ଦ୍ର କରି ଗୁଳି ମାଡ; ଜଣେ ଆହତ

ଯାଜପୁର ୧୧-୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ଥାନା ଗୌରପୁର ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ବଡ ଭାଇ ତାର ସାନ ଭାଇକୁ ବନ୍ଧୁକ ଦ୍ୱାରା ଗୁଳି ମାରିବାରୁ ଗ୍ରାମର ଜଣେ ଯୁବତୀ ଆହତ ହୋଇଥିବା ବେଳେ ଗୁଳି ମାରିଥିବା ଆସାମି ସୁବଳ ଓଝା(୩୪)ଙ୍କୁ ପୁଲିସ ଗିରଫ କରି ୨୨୪/୨୦ ଦଫା ୨୯୪, ୫୦୬, ୩୨୪ ଓ ୨୫, ୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଗୁଳି ଫୁଟିଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତି ସୂଚନା ଦେଇଛନ୍ତି। ଆହତ ପଡ଼ୋଶୀ ଅମୂଲ୍ୟ କରଙ୍କ ଝିଅ ମଲ୍ଲି (୨୨) କୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଗୌରପୁର ଗ୍ରାମର ସାଦୁଆ ଓଝାଙ୍କ ପୁଅ ସୁବଳ (୩୪) ଓ ତାଙ୍କ ବଡ଼ବାପା ବୃନ୍ଦାବନ ଓଝାଙ୍କ ପୁଅ କାଳନ୍ଦୀ (୨୭)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁବଳ ଘରେ ରଖିଥିବା ବନ୍ଧୁକ ଆଣି କାଳନ୍ଦୀ ଉପରକୁ ଗୁଳି ଚଳାଇଥିଲେ। କାଳନ୍ଦୀ ଛିଡ଼ା ହୋଇଥିବା ସ୍ଥାନରୁ ଘୁଞ୍ଚି ଯିବାରୁ ଗୁଳିଟି ତାଙ୍କ ଦେହରେ ବାଜି ନଥିଲା। ପଡ଼ୋଶୀ ଅମୂଲ୍ୟ କରଙ୍କ ଝିଅ ମଲ୍ଲି(୨୨) ଗୌରପୁର ଛକରେ ଥିବା ବାପାଙ୍କ ଦୋକାନକୁ ଯାଉଥିବା ବେଳେ ଗୁଳିଟି ତାଙ୍କ ହାତରେ ବାଜିଥିଲା। ପରିବାର ଲୋକେ ମଲ୍ଲିଙ୍କୁ ଘରକୁ ନେଇ ସୁସ୍ଥ କରିବା ପରେ ଘଟଣା ସମ୍ପର୍କରେ ମଲ୍ଲିଙ୍କ ବାପା ଅମୂଲ୍ୟ ଝିଅକୁ ଗୁଳି ମାରିବା ସମ୍ପର୍କରେ ପଚାରିବାରୁ ସୁବଳ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅମୂଲ୍ୟ କୋରେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ସୁବଳକୁ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ସୁବଳକୁ କୋର୍ଟ ଚାଲାଣ କରାଯାଇଛି।