Odiapua.com

ଘରେ ପଶି ଯୁବକଙ୍କୁ ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର

ବଲାଙ୍ଗିର, ୧୭-୧୨ (ଓଡ଼ିଆ ପୁଅ) : ବଲାଙ୍ଗୀରରେ ଜଣେ ଯୁବକଙ୍କୁ ତାଙ୍କ ଘରେ ପଶି ଗଳା କାଟି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇ ଯିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଦୁଇଜଣ ଯୁବକ ତାଙ୍କ ଘରେ ପଶି ଯୁବକଙ୍କ ତଣ୍ଟି କାଟି ଦେଇ ହତ୍ୟା କରି ମୃତାବସ୍ଥାରେ ଛାଡି ଦେଇ ଘର କବାଟ ଖୋଲି ଚାଲିଯାଇଥିଲେ। ଦୁଇ ଜଣ ଯୁବକ ତାଙ୍କ ଘରେ ସେ ରହୁଥିବା କୋଠରୀ କୁ ଯାଇ ଭିତର ପଟୁ କବାଟ ବନ୍ଦ କରି ଉକ୍ତ ଦୁଇ ଅଭିଯୁକ୍ତ ତଣ୍ଟି କାଟି ଦେଇ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ଏପରିକି ଭିତରୁ ବନ୍ଦ ଥିବା କବାଟ ଖୋଲି ସେମାନେ ବାହାରି ଚାଲିଯାଇଥିବା ତାଙ୍କ ପିତା ଦେଖିଥିବା ପ୍ରକାଶ କରିଛନ୍ତି। ସହର ର ଗାନ୍ଧିନଗର ପଡ଼ାର ଅରବିନ୍ଦ ସିଂ ନାମକ ଉକ୍ତ ୩୬ ବର୍ଷୀୟ ଯୁବକ ଙ୍କୁ ଏଭଳି କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସାଇଣ୍ଟିକଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି। ଘଟଣା ଘଟିଥିବା ଗାନ୍ଧିନଗର ପଡ଼ା ସ୍ଥିତ ଉକ୍ତ ଘରୁ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ମୃତ ଯୁବକଙ୍କ ବାପାଙ୍କ କହିବା ଅନୁସାରେ, ପୁଅ ଅରବିନ୍ଦଙ୍କ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା। ବାପା କବାଟ ବାଡେଇ ଡାକିବା ପରେ ଦୁଇଜଣ ଯୁବକ କବାଟ ଖୋଲି ଦୌଡି ପଳାଇଥିଲେ। ଘଟଣାସ୍ଥଳରେ ଏସଡିପିଓ, ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ନେଇ ଏସଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।