Odiapua.com

ଘରେ ପଶି ଦୁର୍ବୁତ୍ତଙ୍କ ସଶସ୍ତ୍ର ଡକାୟତି, ଦୁଇ ଗୁରୁତର

ବଲାଙ୍ଗୀର, ୨୪/୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ବ୍ଲକ ଅନ୍ତର୍ଗତ କୁଡାସିଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ପ୍ରକାଶଯେ, ଗତ କାଲି ଶୁକ୍ରବାର ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୩୦ ଭାରି ସୁନା ଓ ନଗଦ ୪୦ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଖବରପାଇ ବିଳମ୍ବିତ ରାତିରେ ଦେଓଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଆଜି ବଲାଙ୍ଗୀର ଏସ.ଡି.ଓ.ପି.ଓ ଡ଼ଗ ସ୍କ୍ୱାର୍ଡ଼ ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଥିଲେ। ଏହା ସହ ଘର ସି ସି ଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ପ୍ରାୟ ୧୩ ଜଣ ଦୁର୍ବୁତ୍ତ ଗୁରୁବାର ରାତି ପ୍ରାୟ ୧୧ ଟା ୩୦ ସମୟରେ ମାରଣାସ୍ତ୍ର, ପିସ୍ତଲ ଆଦି ଧରି ଘରେ ପଶିଥିଲେ। ଉଜ୍ଜ୍ବଳଙ୍କ ସହ ତାଙ୍କ ପରିବାରର ଅନ୍ୟ ଦୁଇଜଣଙ୍କୁ ରକ୍ତାକ୍ତ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇଥିଲେ। ଅନ୍ୟ କିଛି ଦୁର୍ବୁତ୍ତ ଘର ବାହାରେ ଜଗି ରହି ଗ୍ରାମ ଲୋକଙ୍କୁ ଭୟଭୀତ କରାଇଥିଲେ, ଯେପରି ସେମାନେ ଉଜ୍ଜ୍ବଳଙ୍କ ପରିବାରକୁ ସାହାଯ୍ୟ ନ କରିପାରିବେ। ଏବେ ଉକ୍ତ ଦୁଇ ଆହତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।