Odiapua.com

ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହରଘର ତ୍ରିରଙ୍ଗା କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶତମା୍‌ମ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ିବା କାର୍ଯ୍ୟକ୍ରମ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାର୍ଗ ଦର୍ଶିକାନୁଯାୟୀ ଜିଲ୍ଲାରେ ବ୍ଲକ, ପୌରାଂଚଳ, ଗ୍ରାମପଂଚାୟତ ଓ ଜିଲ୍ଲାସ୍ତରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓସ୍‌ୱାନ ହଲ୍‌ରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଡ଼େପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଏପି.ଡ଼ି.ଏମ୍‌.ଆଇଏସ୍ ପ୍ରହ୍ଲାଦ ରଣା, ଡ଼ିପିଏମ୍ ଓ.ଏଲ୍‌ଏମ୍ ସଞ୍ଜୟ ବାରିକ୍‌, ଡ଼ି.ପି.ସି ମିଶନ ଶକ୍ତି ଅଭିକ୍ ନାରାୟଣ ବାରିକ୍ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ସମସ୍ତ ବ୍ଲକର ବି.ଡ଼ି.ଓ. ଓ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆଭାସି ଜରିଆରେ ଏହି ବୈଠକ ସହିତ ଯୋଡ଼ି ହୋଇଥିଲେ । ହର ଘର ତ୍ରିରଙ୍ଗା କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧୨ ତାରିଖରେ ବିଭିନ୍ନ ସ୍କୁଲ, କଲେଜ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ଶପଥ ପାଠ, ଅଗଷ୍ଟ ୧୩ ରେ ତ୍ରିରଙ୍ଗା ଯାତ୍ରାରେ ମହତାବ ଛକରୁ ଚାନ୍ଦବାଲି ବାଇପାସ୍ ଛକ ପର୍ଯ୍ୟନ୍ତ ସାଇକେଲ ଓ ମୋଟରଗାଡ଼ିରେ ଶୋଭାଯାତ୍ରା, ୧୪ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟାଉନ୍ ହଲ ପର୍ଯ୍ୟନ୍ତ ପଦଯାତ୍ରା ଆଦି ସହ ତ୍ରିରଙ୍ଗା ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ, ସେଲଫି ପଏଂଟ, କ୍ୟାନଭାସ ଜରିଆରେ ବାର୍ତା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ପୁଙ୍ଗାନୁପୁଙ୍ଖ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ପତାକା ପ୍ରତିବ୍ଲକ ଓ ପଂଚାୟତ ସ୍ତରରେ ପୌରାଂଚଳର ୱାର୍ଡ଼ସ୍ତରରେ ବଂଟନ କରାଯିବା ନେଇ ପ୍ରସ୍ତୁତି ଯୋଜନା ସମ୍ବନ୍ଧରେ ମଧ୍ୟ ଅତିରିକ୍ତ ଜିଲ୍ଲପାଳ ସମୀକ୍ଷା କରିଥିଲେ ।