ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦେଢମାସ ପରେ ନିଖୋଜ ଥିବା ଯୁବକଙ୍କର ଗଳିତ ଶବ ଉଦ୍ଧାର ସାଂଗକୁ ଏହା ହତ୍ୟା କି ଆତ୍ମହତ୍ୟା ପୋଲିସର ସନ୍ଦେହକୁ ଦ୍ୱିଗୁଣିତ କରିଛି। ଏହି ଘଟଣାକୁ ନେଇ ଆଜି ବାଲେଶ୍ୱରରୁ ସାଇନ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚିଛି। ପ୍ରକାଶ ଥାଉକି ଧାମନଗର ଥାନା ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଂଚାୟତର ଚମ୍ପାବାଗ ଗ୍ରାମର ଏକ ବାଉଁଶ ବଣରୁ ଗତକାଲି ଝୁଲନ୍ତା ଅବସ୍ଥାରେ ଖପୁରି ସହ ତଳେପଡ଼ିଥିବା କିଛି ହାଡ଼ ଦେଖିବାକୁ ମିଳିଥିଲା। ଯାହା କୁ ସନ୍ଦେହ କରି ଆନନ୍ଦପୁର ପଂଚାୟତର ଚମ୍ପାବାଘ ଗ୍ରାମର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ୱର ନାୟକ (୧୯)ର ଶବ ବୋଲି ଅନୁମାନ କରାଯାଇଥିଲା। ଏହି ଖବର ପ୍ରକାଶ ପରେ ଧାମନଗର ଥାନା ଅଧିକାରୀ ଶ୍ରୀବଲ୍ଳଭ ସାହୁ ଘଟଣା ସ୍ଥଳରେ ପହଂଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ତେବେ ଘଟଣାଟି ଦେଢମାସ ହେବ ଘଟିଥିବାବେଳେ କିଛି ଚିହ୍ନବର୍ଣ୍ଣ ମିଳୁନଥିବାରୁ ପୋଲିସର ସନ୍ଦେହ ବଢିଥିଲା। ଏନେଇ ପୋଲିସ ବାଲେଶ୍ୱର ସାଇନ୍ଟିଫିକ୍ ଟିମ୍କୁ ଖବର ଦେଇଥିଲେ। ଆଜି ଉକ୍ତ ଟିମ୍ ଘଟଣାସ୍ଥଳରେ ପହଂଚି ହାଡ଼ ଓ ଖପୁରିକୁ ଜବତକରି ଫରେନ୍ସିକ୍ ଲାବୋରେଟେରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବାପରେ ଘଟଣାର ଅଧିକ ତଦନ୍ତ କରାଯିବବୋଲି ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ୨୦୨୧ ନଭେମ୍ବର ୨ତାରିଖରେ ଖଗେଶ୍ୱର ଏକ ସ୍ମାର୍ଟଫୋନ୍ରେ ଅନ୍ଲାଇନ୍ରେ ଫ୍ରିଫାୟାର ଓ ଆକାଲୁଡ଼ୁ ଗେମ୍ଖେଳି ତାଙ୍କ ବାପାଙ୍କ ଏକାଉଣ୍ଟରୁ ଏକାଧିକବାର ହଜାର ହଜାର ଟଙ୍କା ଉଠାଇ ନେଇଯାଇଥିଲେ। ଏନେଇ ବାପାଙ୍କ ଗାଳିଦେବା ଭୟରେ ଖଗେଶ୍ୱର ଗତ ୨୦୨୧ ଡ଼ିସେମ୍ବର ୧୮ ତାରିଖରୁ ଘରଛାଡ଼ି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ବାପା ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଗତକାଲି ସକାଳେ ବାଉଁଶ କାଟିବାକୁ ଯାଇଥିବାବେଳେ ସେଠାରେ ଏକ ପୁଣ୍ଟିଆ ଗଛରେ ଶରୀର ବିହୀନ ଗଳିତ ଖପୁରି ଝୁଲୁଥିବାର ଦେଖିଥିଲେ। ଏଣୁ ସଂଗେ ସଂଗେ ଗାଁରେ ଉକ୍ତ ଖବର ଦେବାପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।