Odiapua.com

ଘଡି ପଥୁଲି ପୂଜା ଓ ମୁଠି ଅନୁକୂଳ

ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ଅକ୍ଷୟତୃତୀୟା ଅବସରରେ ଆସି ଘରେ ଘରେ ପରମ୍ପରା ଅନୁଯାୟୀ ଘଡି ପଥୁଲି ବସାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପ୍ରଥା ବହୁ ଦିନରୁ ଚାଲି ଆସୁଛି। ରଜା ମହାରାଜାଙ୍କ ଅମଳରେ ଘଡି ପଥୁଲିରେ ସୁବର୍ଣ୍ଣ ମୁଦ୍ରା ଦାନ ଦିଆଯାଉଥିଲା। ଆଜି ଘଡିରେ ଚୂଡାଭଜା, ଖଇ, ପଥୁଲିରେ ଖଣ୍ଡଘୋଡା, ବିଭିନ୍ନ ଫଳ, ଖେଳନା ପ୍ରଭୃତି ପୂଜା କରାଯାଇ ପିଲାମାନଙ୍କୁ ବଂଟନ କରାଯାଇଥିଲା। ପିଲାମାନଙ୍କର ଶୁଭ ମନାସି ଏହି ପୂଜା ବାପା ମା ମାନେ କରିଥାନ୍ତି ବୋଲି ବିଦିତ ଅଛି। ଆଜି ମଧ୍ୟ ଅକ୍ଷୟତୃତୀୟା ଅବସରରେ ପୁରୀ ଉପକଣ୍ଠରେ ଥିବା ବିଭିନ୍ନ ଚାଷ ଜମିରେ ପାରମ୍ପରିକ ରୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ବିଲରେ ମୁଠି ଅନୁକୂଳ କରାଯାଇଥିଲା। ଆଜିର ଏହି ଦିନରେ ମୁଠି ଅନୁକୂଳ କରାଗଲେ ଭଲ ଫସଲ ହେବ ବୋଲି କଥିତ ଅଛି।