ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ୟୁକୋ ବ୍ୟାଙ୍କରେ ଜାଲିଆତି ଘଟଣା। ଜଣେ ଠକ ଗ୍ରାହକ ସାଜି ଆସି ଘଂଟେଶ୍ୱର ୟୁକୋ ବ୍ୟାଙ୍କରେ ଏକ ଆକାଂଉଟ ଖୋଲି ୧୨୦ଗ୍ରାମର ଚକମକ ପଦାର୍ଥ ଦେଇ ବ୍ୟାଙ୍କ ପାଇଁ ନିଯୁକ୍ତି ପାଇଥିବା ବଣିଆ କୁ ହାତକରି ଏବଂ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ହାତ କରି ୫ଲକ୍ଷ ଟଙ୍କା ନେଇ ଗାଏବ ହୋଇ ଯାଇଥିଲା। ପୁନଶ୍ଚ ସେହି ଠକ ଆସି ଆଉ କିଛି ସୁନା ବନ୍ଧା ପକାଇ ଲୋନ ନେବାକୁ ଚାହୁଁଥିବା ବେଳେ ସଂପୃକ୍ତ ଗ୍ରାହକକୁ ବ୍ୟାଙ୍କ ମଧ୍ୟରେ ରଖି ୫ଲକ୍ଷ ଟଙ୍କା କିପରି ଆଦାୟ କରାଗଲା ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି। ପ୍ରାପ୍ତ ଘଟଣାରୁ ଜଣାଯାଇଛି ଗତ ୨୩ ତାରିଖ ଦିନ ଘଂଟେଶ୍ୱର ଅଂଚଳର ବାଦଲ ସାମଲ ନାମକ ଜଣେ ଗ୍ରାହକ ଘଂଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାକୁ ଆସି ୧୨୦ଗ୍ରାମ ଚିକମିକ ପଦାର୍ଥ(ନକଲି ସୁନା) ଦେଇ ୫ଲକ୍ଷଟଙ୍କା ହାତେଇ ନେଇଥିବା ବେଳେ ସଂପୃକ୍ତ ଯୁବକ ଜଣକୁ ପୁନଶ୍ଚ ୨୪ତାରିଖ ସନ୍ଧ୍ୟା ସମୟରେ ଆସି ଆଉ କିଛି ନକଲି ସୁନା ଦେଇ କିଛି ସୁନା ରୂଣ ନେବାକୁ କହିଥିଲେ। ମାତ୍ର ବ୍ୟାଙ୍କରେ କାର୍ଯ୍ୟରତ କିଛି କର୍ମଚାରୀ ସଂପୃକ୍ତ ଗ୍ରାହକ ବାଦଲଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ତୁରନ୍ତ ବ୍ୟାଙ୍କ ଶାଖାକୁ ଚାବି ପକାଇ ଦେଇ ବାଦଲ ଦେଇଥିବା ସୁନାକୁ ଅନ୍ୟ ଏକ ବଣିଆ ପାଖରେ ପରୀକ୍ଷା କରିଥିଲେ। ସେଠାରେ ବନ୍ଧା ଦିଆଯାଇଥିବା ୧୨୦ ଗ୍ରାମ ସୁନା ସଂପୂର୍ଣ ନକଲି ବୋଲି ବଣିଆ ଜଣକ କହିଥିଲେ। ଫଳରେ ସଂପୃକ୍ତ ୟୁକୋ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ ମାନେ ବାଦଲ ଏବଂ ତାଙ୍କ ସହ ଆସିଥିବା ମୈନା ଦଳେଇ ନାମକ ମହିଳାଙ୍କୁ ବ୍ୟାଙ୍କ ମଧ୍ୟରେ ଅଟକାଇ ରଖିବା ସହ ସଂପୃକ୍ତ ବାଦଲକୁ ନେଇଥିବା ୫ଲକ୍ଷ ଟଙ୍କା ଫେରାଇବାକୁ କହିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। କିଛି ଘଂଟା ପରେ ସଂପୃକ୍ତ ଗ୍ରାହକ ବାଦଲ ସାମଲ ୫ଲକ୍ଷ ଟଙ୍କା ଫେରାଇ ଦେଇଥିବା ବେଳେ ବାଦଲ ଏବଂ ତାଙ୍କ ସହଯୋଗୀ ମୈନା ଦଳେଇଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ସ୍ଥାନୀୟ ଯୁବକ ଅତର୍କିତ ଆକ୍ରମଣ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଂଟେଶ୍ୱର ଫାଣ୍ଡି ସବ ଇନ୍ସପେକ୍ଟର ସୂର୍ଯ୍ୟ ମହାନ୍ତି ଏବଂ ତାଙ୍କ ଷ୍ଟାଫ ଆସି ବାଦଲ ଏବଂ ମୈନା ଦଳେଇଙ୍କୁ ଉଦ୍ଧାର କରି ନେଇଥିଲେ ମଧ୍ୟ ଘଂଟେଶ୍ୱର ଫାଣ୍ଡି ଷ୍ଟାଫ ସାଧା ପୋଷାକରେ ଥିବା ବେଳେ ସେମାନେ ମଧ୍ୟ ଲୋକଙ୍କ ଆକ୍ରମଣରୁ ବର୍ତି ଯାଇ ନଥିଲେ। ପରେ ଫାଣ୍ଡି ସବ ଇନ୍ସପେକ୍ଟର ସୂର୍ଯ୍ୟ ମହାନ୍ତି ତାଙ୍କ ଠାରୁ ଏକ ଅଣ୍ଡରଟେକିଂ ନେଇ ସେମାନଙ୍କୁ ଛାଡି ଦେଇଥିଲେ । ମାତ୍ର ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ଘଂଟେଶ୍ୱର ୟୁକୋ ବ୍ୟାଙ୍କ ଶାଖା ପରିଚାଳକ କିପରି ସୁନାର ମାନ ନ ପରଖି ୫ଲକ୍ଷ ଟଙ୍କା ଦେଲେ ଏବଂ ଏହା ଏକ ଚିରା ଚଳିତ ପ୍ରଥା ନୁହେଁତ। ଅନ୍ୟ ପକ୍ଷରେ ଏହି ଜାଲିଆତି ଘଟଣାରେ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏବଂ ଏଥିସହ ବ୍ୟାଙ୍କ ତରଫରୁ ନିଯୁକ୍ତି ପାଇଥିବା ବଣିଆ କିପରି ପରୀକ୍ଷା କରି ଏହା ଅସଲି ସୁନା ବୋଲି କହୁଥିବା ବେଳେ ଅନ୍ୟ ଏକ ବଣିଆ ଏହାକୁ ନକଲି ସୁନା ବୋଲି ପରୀକ୍ଷା କରି ଜାଣିଲେ। ପ୍ରକୃତରେ କେଉଁ ବଣିଆ ଅସଲି ଏବଂ କିଏ ନକଲି। ଏପରି ଆଗରୁ କେତେଜଣଙ୍କୁ ଏହିଭଳି ନକଲି ସୁନା ନେଇ ରୂଣ ଦେଇଛନ୍ତି ବୋଲି ଅମିମାଂଶିତ ପ୍ରଶ୍ନର ଉତର ଦେବାକୁ ସଂପୃକ୍ତ ଶାଖା ପରିଚାଳକ ମନା କରି ଦେଇଥିବା ବେଳେ ଭୂବନେଶ୍ୱର ଆଂଚଳିକ ଶାଖାର ପରିଚାଳକ ଏହି ବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ ଆଗାମୀ ଦିନରେ ଏହି ଶାଖା ପ୍ରବନ୍ଧକ ଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଘଟଣା ଘଟିବାର ୨ ଦିନ ବିତିଯାଇଥିଲେ ମଧ୍ୟ ଘଂଟେଶ୍ୱର ଫାଣ୍ଡି ଅଥବା ବାଂଶଡା ଥାନାରେ ବ୍ୟାଙ୍କ କର୍ତୁପକ୍ଷ କିଛି ଲିଖିତ ଅଭିଯୋଗ କରି ନଥିବା ପୁଲିସ ଅଧିକାରୀଙ୍କ ନିକଟରୁ ପ୍ରକାଶ।