ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଚାଲିଥିବା ଚୋରା ମଦ କାରବାରକୁ କିଏ ରୋକ ଦେବ ତାହା ନେଇ ଚର୍ଚା ଚାଲିଛି। ମିଳିଥିବା ଖବର ଅନୁଯାଇ ଘଂଟେଶ୍ୱର ଅଂଚଳରେ ଚୋରା ମଦ ବେପାର ଦିନକୁ ଦିନ ବଢି ବଢି ଚାଲିଛି। ଏହି ମଦ ମାଫିଆ ମାନେ ସରକାରଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁ ନଥିବା ବେଳେ ଚୋରାରେ ଏମାନେ ମଦ ଆଣି ଖୁଲମ ଖୁଲା ଖୋଲା ମାର୍କେଟରେ ବିକ୍ରି କରୁଛନ୍ତି। ପ୍ରତି ତିନି ମାସରେ ଥରେ ଏହି ଚୋରା ମଦ ବେପାରୀ ମାନେ କିଛି ମଦ ନେଇ ଅବକାରୀ ବିଭାଗ ପାଖରେ ପହଂଚିବା ପରେ ଅବକାରୀ ବିଭାଗ ସେମାନଙ୍କ ନିକଟରୁ ନାମକୁ ମାତ୍ର ଏହି ମଦ ଜବତ କରି ସରକାରଙ୍କୁ ଦେଖାଇବା ସହ ନିଜର ରେକର୍ଡ ଠିକ ଦର୍ଶାଇଥାନ୍ତି ଏବଂ ସେହି ଦିନ ଏହି ଚୋରା ମଦ ବେପାରୀଙ୍କୁ ମଧ୍ୟ ଜାମିନ ମିଳିଯାଇଥାଏ। ଏହା ହେଉଛି ଚାନ୍ଦବାଲି ବ୍ଲକରେ ଥିବା ଅବକାରୀ ବିଭାଗର କାହାଣୀ। ଏହି ଚୋରା ମଦ ବେପାରୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ସଜାଗ ଅଛି ବୋଲି କହୁଥିବା ବେଳେ ଅବକାରୀ ବିଭାଗ ପାଖରେ ଷ୍ଟାଫ ଅଭାବ ଥିବାରୁ ସେମାନେ ଚୋରା ମଦ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇ ପାରୁ ନାହାନ୍ତି। ଅନ୍ୟ ପକ୍ଷରେ ପୁଲିସ କେବଳ ଆଖି ଦୃଶିଆ ଚୋରା ମଦ ବେପାରୀଙ୍କୁ ନାଲି ଆଖି ଦେଖାଇ ନିଜର ଫାଇଦା ହାସଲ କରିବାରେ ବ୍ୟସ୍ଥ। ଗତମାସ ୨୫ତାରିଖ ଦିନ ଚରଦିଆ ପଂଚାୟତରେ ଏହି ଚୋରା ମଦ କାରବାରକୁ ନେଇ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିବା ସହ ଆଇନକୁ ହାତକୁ ନେବାକୁ ପଛେଇ ନଥିଲେ ଶେଷରେ ଅନ୍ୟ ଉପାୟ ନ ପାଇ ଜଣେ ବୃଦ୍ଧ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ସେହିଭଳି ଘଂଟେଶ୍ୱର ବଜାର ଉପରେ ଖୁଲମ ଖୁଲା ଚୋରା ମଦ ବେପାର ଚାଲିଥିବା ବେଳେ ଏହାକୁ କିଏ ରୋକ ଦେବ ତାହା ଚର୍ଚାର ବିଷୟ ପାଲଟିଛି। ଘଂଟେଶ୍ୱର ବଜାର ଉପରେ ପୁଲିସ ଫାଣ୍ଡି ଥିବା ସତ୍ୱେ ଏହି ବେପାରୀଙ୍କୁ କିଏ ରୋକ ଦେବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି। ପୁଲିସ ଅଧିକାରୀ ଏହା ତାଙ୍କ କାମ ନୁହେଁ ବୋଲି ସଫେଇ ଦେଉଥିବା ବେଳେ ଚାନ୍ଦବାଲି ଅବକାରୀ ବିଭାଗର କାର୍ଯ୍ୟରତ ଅଧିକାରୀ ନିଜକୁ ନିଜେ ସୁରକ୍ଷିତ ମଣୁ ନାହାନ୍ତି ଫଳରେ ଘଂଟେଶ୍ୱର ଅଂଚଳ ଚୋରା ମଦ ବ୍ୟବସାୟୀଙ୍କ ପାଇଁ ପେଣ୍ଠସ୍ଥଳ ପାଲଟିଥିବା ବେଳେ ଏହି ଚୋରା ମଦ ବେପାରକୁ ପ୍ରଶ୍ରୟ କିଏ ଦେଉଛି ଏବଂ ଏହାକୁ କିଏ ରୋକ ଦେବ ତାହା ଜନତା ଜନାର୍ଦନ ଙ୍କର ପ୍ରଶ୍ନ ।