Odiapua.com

ଘଂଟେଶ୍ୱରରେ ସର୍ବସାଧାରଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର କେବେ!

oppo_0

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଘୋଷାଣା କେବେ ଅବକାରୀ ବିଭାଗ କାର୍ଯ୍ୟକାରୀ କରିବ ତାହା ନେଇ ପ୍ରଶ୍ନବାଚୀ ହୋଇପଡିଛି। ପ୍ରାପ୍ତ ଖବର ଅନୁଯାଇ ମନ୍ଦିର ଜନଗହଳି ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ଡାକ ବିଭାଗ ତଥା ବ୍ୟାଙ୍କ ନିକଟରେ ଥିବା ମଦ ଦୋକାନକୁ ସ୍ଥାନାନ୍ତରଣ କରିବାକୁ ଅଂଚଳବାସୀ ଦୀର୍ଘ ୨ବର୍ଷ ହେବ ଭଦ୍ରକ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ନିକଟରେ ଦାବୀ କରିଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ। ଫଳରେ ଏ ନେଇ ଦିନକୁ ଦିନ ଜନଅସନ୍ତୋଷ ବଢିବାରେ ଲାଗିଛି। ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ବଜାର ଠାରେ ଥିବା ସବ ପୋଷ୍ଠ ଅଫିସ , ୟୁକୋ ବ୍ୟାଙ୍କ ଏବଂ ସାଇ ମନ୍ଦିର ନିକଟରେ ଦୀର୍ଘ ୨ବର୍ଷ ହେବ ଏକ ଠିପି ବନ୍ଦ ମଦ ଦୋକାନ ଖୋଲା ଯାଇଛି। ସରକାର ଏହି ଭଳି ଜନବସତି ସ୍ଥାନ ରେ କୌଣସି ପରିସ୍ଥିତିରେ ମଦ ଦୋକାନ ଖୋଲା ଯାଇ ପାରିବ ନାହିଁ ବୋଲି ନିୟମ ପ୍ରଣୟନ କରିଥିବା ବେଳେ କିଭଳି ସବୁ ନିୟମ କୁ ଜଳାଞଳି ଦେଇ ଅବକାରୀ ବିଭାଗ ଏହି ସ୍ଥାନରେ ଖୋଲିବାକୁ ଅନୁମତି ଦେଲା ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ନିଜର ଦାବୀ ଜଣାଇଛନ୍ତି। ଏହି ବିଦେଶୀ ମଦ ଦୋକାନ ରୁ ମଦ ନେଇ ସେହି ସ୍ଥାନରେ ମଦପାନ କରୁଥିବା ବେଳେ ସେହି ଦୋକାନ ପାଖରେ ଥିବା ସବ ପୋଷ୍ଠ ଅଫିସ, ଏବଂ ୟୁକୋ ବ୍ୟାଙ୍କ ଏବଂ ସାଇ ମନ୍ଦିରକୁ ଯିବାକୁ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟ ପକ୍ଷରେ ଏହି ରାସ୍ତା ଦେଇ କୁଳିଆଡିଆ ତଥା ଘଂଟେଶ୍ୱର ଅଂଚଳର ଛାତ୍ରଛାତ୍ରୀ ମାନେ ଯାତାୟତ କରିବାକୁ ମଧ୍ୟ ସୁରକ୍ଷିତ ମନେ କରୁ ନାହାନ୍ତି। ଏ ନେଇ ଭଦ୍ରକ ଜିଲ୍ଲାର ପୂର୍ବତନ ଅବକାରୀ ଅଧୀକ୍ଷକଙ୍କୁ ସ୍ଥାନୀୟ ଜନସାଧାରଣ ଭେଟି ଏହି ମଦ ଦୋକାନ ସ୍ଥାନାନ୍ତରିତ କରିବାକୁ ନିଜର ଦାବୀ ଜଣାଇଥିଲେ ମାତ୍ର ଅବକାରୀ ଅଧୀକ୍ଷକ ଏହି ଦୋକାନ ସ୍ଥାନାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନାହିଁ। ଅନ୍ୟ ପକ୍ଷରେ ଏହି ଦୋକାନ ସ୍ଥାନାନ୍ତରିତ କରିବାକୁ ଅଂଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଗୃହ କମିଟି କୁ ତଦନ୍ତ କରିବାକୁ ସୁପାରିଶ ମଧ୍ୟ କରିଛନ୍ତି।ତୁରନ୍ତ ଏହି ମଦ ଦୋକାନ ସ୍ଥାନାନ୍ତର ନିଷ୍ପତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ବାସୀ ନିବେଦନ ଜଣାଇଛନ୍ତି।