Odiapua.com

ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୩ ଗିରଫ, ୬ ସିଲିଣ୍ଡର, ବ୍ୟବହୃତ ଅଟୋ ଜବତ

ଯୋଡା, ୨୮/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗତ ଜୁଲାଇ ମାସ ୧୮ ତାରିଖ ଦିନ ଯୋଡା ଥାନା ଅନ୍ତର୍ଗତ ମାଡ୍ରାସ ହଟିଂର ଗଣେଶ ଭବନ ନିକଟ ଜଣଙ୍କ ଘରୁ ଗ୍ୟାସ ସିଲିଣ୍ଡର ସହ ଟଙ୍କା ଏବଂ ମୋବାଇଲ ଚୋରି ହୋଇଥିବା ନେଇ ଯୋଡା ଥାନାରେ ୧୯ ତାରିଖ ଏକ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ମଙ୍ଗଳବାର ୩ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଯୋଡାସ୍ଥିତ ଭୂୟାଁବସ୍ତିର ସୁବାଶ ପାତ୍ର (୨୮), ଜିତେନ ପାତ୍ର (୨୪) ଏବଂ ଯୋଡା ମାର୍କେଟର ସେକ୍ ଅକତର (୩୦) ବୋଲି ଜଣାପଡିଛି । ଯୋଡା ପୁଲିସ ସୂଚନା ଅନୁଯାୟୀ ଗଣେଶ ଭବନ ନିକଟରେ ଏକ ଭଡା ଘର ନେଇ ସନ୍ତୋଷ କୁମାର ଏବଂ ତାଙ୍କର ୬-୭ଜଣ ସହଯୋଗୀ ରହିଆସୁଥିଲେ । ଜୁଲାଇ ୧୮ ତାରିଖ ବିଳମ୍ବିତ ରାତ୍ରୀରେ ଘରେ ସମସ୍ତେ ଶୋଇପଡିଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ଗ୍ୟାସ ସିଲିଣ୍ଡର ଏବଂ ଟଙ୍କା ସହ ମୋବାଇଲ ଚୋରି କରି ପଳାଇଥିଲେ । ଏହି ଘଟଣାଟିରେ ପୁଲିସ ବିଭିନ୍ନ ଯାଗାରେ ଚଢୋଉ କରି ସୁବାଶ ଓ ଜିତେନକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରିବା ପରେ ଯୋଡା ମାର୍କେଟରେ ରହୁଥିବା ସେକ୍ ଅକତାରକୁ ସେମାନେ ଏହି ଚୋରା ଗ୍ୟାସ ସିଲିଣ୍ଡର ବିକ୍ରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ । ପୁଲିସ ୬ଟି ଚୋରା ସିଲିଣ୍ଡର ସମେତ ଏଥିରେ ବ୍ୟବହୃତ ଗୋଟିଏ ଅଟୋ ନଂ. ଓଡି୦୯ଇ-୧୩୮୧ ଏବଂ ଚୋରି ମୋବାଇଲଟିକୁ ଜବତ କରିଥିବା ଜଣାପଡିଛି ।