Odiapua.com

ଗ୍ୟାସ ମୂଲ୍ୟବୃଦ୍ଧିକୁ ଯଥାର୍ଥତା ଦର୍ଶାଇବା ବିଜେପିକୁ ମହଙ୍ଗା ପଡିବ : ବିଜେଡି – ଶସ୍ତା ଗ୍ୟାସ ୧୨୩% ଅଧିକ ଦରରେ ବିକ୍ରି

ଭୁବନେଶ୍ୱର, ୨୧/୧୧ (ଓଡ଼ିଆ ପୁଅ) : ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିୟମିତ ଭାବେ ମିଥ୍ୟା ଏବଂ ମନଗଢା ବିବୃତ୍ତି ଜାରି ରଖିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି।

ବିଜେପି ମୁଖପାତ୍ର ଶ୍ରୀମତୀ ସାମନ୍ତସିଂହାରଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଆର୍ନ୍ତଜାତୀୟ ବଜାରରେ ୨୦୧୪ ଫେବୃଆରୀରେ ପ୍ରାକୃତିକ ଗ୍ୟାସର ଦର ପ୍ରତି ମିଲିୟନ୍ ବିଟିୟୁ (ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍‌) ପ୍ରତି ୬ ଆମେରିକୀୟ ଡଲାର ଥିଲା ଏବଂ ଆଜି ଏହା ୫.୦୮ ଆମେରିକୀୟ ଡଲାର ରହିଛି ଯାହା ୧୫% ରୁ ଅଧିକ ହ୍ରାସ ପାଇଛି। ତେବେ, ଫେବୃଆରୀ ୨୦୧୪ ରେ ଲୋକେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୪୧୪ ଟଙ୍କାରେ କିଣୁଥିବାବେଳେ ବର୍ତ୍ତମାନ ଏହା ୯୨୬ ଟଙ୍କାରେ ପହଞ୍ଚିଛି, ଯାହାକି ୧୨୩% ବୃଦ୍ଧି ପାଇଛି।

ଫେବୃଆରୀ ୨୦୧୪ ତୁଳନାରେ ଯେତେବେଳେ ଆନ୍ତର୍ଜାତୀୟ ଗ୍ୟାସ ଦର ମୂଲ୍ୟ ୧୫% କମ୍ ରହିଛି ସେତେବେଳେ ଗରିବ ଏବଂ ମଧ୍ୟବିତ୍ତ ପରିବାରଗୁଡିକୁ ରନ୍ଧନ ଗ୍ୟାସ୍ ପାଇଁ ୧୨୩% ଅଧିକ ଦେବାକୁ ବାଧ୍ୟ କରାଯାଉଛି କାହିଁକି? ଏହି ଟଙ୍କା କୁଆଡେ ଗଲା ଯାହା ଓଡିଶାର ଗରିବ ଏବଂ ମଧ୍ୟବତ୍ତ ପରିବାରରୁ ନିଆଯାଇଥିଲା ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର ଜଣେ ଶିକ୍ଷିତା ମହିଳା, ସେ ଏତେ ମିଛ କାହିଁକି କହୁଛନ୍ତି? ସେ ମିଥ୍ୟା ପ୍ରଚାର ବନ୍ଦ କରିବା ଉଚିତ୍‍ଏବଂ ଓଡିଶାର ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଅଧିକ ଆଘାତ ଦେବା ଉଚିତ୍‍ନୁହେଁ। ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବା ପରିବର୍ତ୍ତେ, ବୃଦ୍ଧିର ଯଥାର୍ଥତା ଦର୍ଶାଇବା ହେଉଛି ଓଡିଶାର ରୋଷେଇ ଘର ପାଇଁ ବେଡି ଉପରେ କୋରଡା ମାଡ ଭଳି।

ଓଡ଼ିଶାର ମା’ ଓ ଭଉଣୀମାନେ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ଯଥାର୍ଥତା ଦର୍ଶାଇବା ପାଇଁ ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାରଙ୍କୁ ଆଦୌ କ୍ଷମା କରିବେ ନାହିଁ ଯାହା ଓଡିଶାର ଲକ୍ଷ ଲକ୍ଷ ଲୋକ ଏବଂ ପରିବାର ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି କରିବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।