Odiapua.com

ଗ୍ୟାସ୍ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା; ଚାରି ଜଣଙ୍କ ମୃତ୍ୟୁ

ଅନୁଗୋଳ,୨୧/0୩(ଓଡ଼ିଆପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ବସଷ୍ଟାଣ୍ଡ ନିକଟରେ ଆଜି ସକାଳେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ୍ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ଲାଗିବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ କିଛି ଜଣ ଗୁରୁତର ଆହତ ହୋଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ,ସମ୍ବଲପୁରରୁ ରୋଗୀଙ୍କୁ ନେଇ ଏହି ଆମ୍ବୁଲାନ୍ସ କଟକ ଅଭିମୁଖେ ଯାଉଥିଲା ବେଳେ ଏକ ଗ୍ୟାସ୍ ଟ୍ୟାଙ୍କର ଉକ୍ତ ଆମ୍ବୁଲାନ୍ସକୁ ଜରପଡା ବସଷ୍ଟାଣ୍ଡ ନିକଟରେ ଧକ୍କା ଦେଇଥିଲାl
ମରାମତି କାରଣରୁ ରାସ୍ତା ସଂକୀର୍ଣ୍ଣ ହୋଇ ଯାଇଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଇଛିl ତେବେ ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ୨ ଜଣ ବ୍ୟକ୍ତି ଆମ୍ବୁଲାନ୍ସ ଭିତରେ ଚାପି ହୋଇ ଯାଇଥିଲେl ସେମାନଙ୍କୁ ଗ୍ୟାସ କଟରରେ କାଟି ବାହାର କରା ଯାଇଥିଲାl ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଟ୍ୟାଙ୍କରକୁ ଜରପଡ଼ା ପୋଲିସ ଜବତ କରିଥିବା ବେଳେ ଏହାର ଚାଳକ ସମ୍ପର୍କରେ ସୂଚନା ମିଳିନାହିଁ।