Odiapua.com

ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ : କପାଳୀ ନଦୀର ବଫର ଜୋନ୍‌ରୁ ଉଚ୍ଛେଦ ହଟାଅ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଗତ ୧୬.୧୨.୧୯ ରିଖରେ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ନକରାଯାଇଥିବାରୁ କ୍ଷୋଭ ପ୍ରକାଶଡ କରିଛନ୍ତି । କପାଳୀ ନଦୀ କୂଳରେ ନିର୍ମିତ ଜିଲା ଜଜ୍ କୋର୍ଟର ନୂତନ ବିଲ୍ଡିଂ ବନ୍ୟାଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ସ୍ଥାନୀୟ ଗୋପବନ୍ଧୁ ନଗର ଗ୍ରାମର ଜନୈକ ମହିଳା ସ୍ୱେଚ୍ଛାସେବୀ କଳ୍ପନା ମଲିକ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଏକ ମାମଲା (ନଂ ଓଏ ନଂ ୫୭୨/୧୬) ରୁଜୁ କରିଥିଲେ । ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, କପାଳୀ ନଦୀର ବଫର ଜୋନ୍ । ଯାହା ନଦୀପଠାର ୭୦ ମିଟର ମଧ୍ୟରେ ବେଆଇନ୍ ଭାବେ ନୂତନ କୋର୍ଟ ବିଲ୍ଡିଂ ନିର୍ମାଣ ହେଉଥିବାରୁ ତାଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଥିଲେ । ପରେ ଗ୍ରୀନ୍ ଟ୍ରିବ୍ୟୁନାଲ ରାଜ୍ୟ ସରକାର ତଥା ଭଦ୍ରକ ଜିଲାପାଳଙ୍କୁ ବଫର ଜୋନ୍ ମଧ୍ୟରୁ ନିର୍ମାଣ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ନହେବାରୁ ଏକ ଡିକ୍ରୀଜାରୀ କେଶ୍ ନଂ ୩୩/୧୯ ରେ ପୂର୍ବ ଆଦେଶ କାର୍ଯ୍ୟକାରୀ ପାଇଁ ସେ ପୁନଶ୍ଚ ଆବେଦନ କରିଥିଲେ । ଗ୍ରୀନ୍ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ୨ ମାସ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଏକ ନୀତି ନିର୍ଦ୍ଧାରଣ ସମନ୍ୱୟ କମିଟି (ଆକ୍ସନ ଟେକେନ୍ କମିଟି) ଗଠନ କରିବାକୁ ଆଦେଶ ଦେଇଥିଲେ । ମାତ୍ର ପ୍ରଶାସନ ସେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବାରୁ ପ୍ରଶାସନିକ ଶୀଥିଲତା ପାଇଁ ଆବେଦନକାରୀଙ୍କ ତରଫରୁ ସମାଜସେବୀ ଦିବାକର ଭୋଇ ଏହି କୋଭିଡ୍‌-୧୯ ମହାମାରୀ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁନର୍ବାର ଆଇଏ ନଂ ୩୦୫/୨୦ ଏକ ମାମଲା ରୁଜୁ କରିଥିଲେ ।

ଏହି ଆବେଦନକୁ ଗ୍ରହଣ କରି ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲ ରାଜ୍ୟ ଜଳ ସଂପଦ ବିଭାଗ ସଚିବ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଓ ଭଦ୍ରକ ଜିଲାପାଳ ମିଳିତ ଭାବେ ଏକ ସମନ୍ୱୟ କମିଟି ଗଠନ କରି ବଫର ଜୋନ୍ ମଧ୍ୟରୁ ନିର୍ମାଣ ଉଚ୍ଛେଦ କରି ନଦୀର ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ସମସ୍ତ ଅବରୋଧକୁ ହଟେଇବାକୁ ଗତ ତା ୧୫.୦୯.୨୦ ରିଖରେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପରେ ଇ-ମେଲ୍ ଦ୍ୱାରା ଟ୍ରିବ୍ୟୁନାଲକୁ ଅବଗତ କରାଇବାକୁ ମଧ୍ୟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି । ଏଠାରେ ପକ୍ରାଶ ଥାଉକି ଭଦ୍ରକ ଜିଲା ଜଜ୍ କୋର୍ଟକୁ ଭଦ୍ରକ ସହର ଠାରୁ ୬ କିମି ଦୂର ନଳାଙ୍ଗକୁ ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ଭଦ୍ରକର ଆଇନ୍‌ଜୀବୀ, ବୁଦ୍ଧିଜୀବୀ ତଥା ଜନସାଧାରଣ ଆରମ୍ଭରୁ ବିରୋଧ କରି ଆସୁଛନ୍ତି । ୨୦୧୬ ରେ କୋର୍ଟ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଆଇନ୍‌ଜୀବୀମାନେ ମାସାଧିକ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଭଦ୍ରକ ବନ୍ଦ ଭଳି ଚରମ ପଦକ୍ଷେପ ମାନ ନେଇଥିଲେ । ଜିଲା ଜଜ୍ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ବିଭିନ୍ନ ଅଦାଲତରେ ଏକାଧିକ ମାମଲା ଚାଲୁଅଛି । ଏଥିପାଇଁ ଭଦ୍ରକ ଓକିଲ ସଂଘ ତରଫରୁ ଏକ ଆକ୍ସନଟେକେନ୍ କମିଟି ମଧ୍ୟ ଆଇନ୍‌ଜୀବୀ ରଂଜନ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଛି ।