Odiapua.com

ଗ୍ରୀଡ୍କୋର ବିଜୁଳି ଦର ପ୍ରସ୍ତାବକୁ ବିରୋଧ : ଓ.ଇ.ଆର.ସି. ଅଧ୍ୟକ୍ଷକଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ‘ଗ୍ରୀଡ୍କୋ’ ତା’ର ବାର୍ଷିକ ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିମନ୍ତେ ଓ.ଇ.ଆର.ସି. ନିମନ୍ତେ ଏକ ଦରଖାସ୍ତ ପ୍ରଦାନ କରିଛି। ଓ.ଇ.ଆର.ସି. କର୍ତ୍ତୃପକ୍ଷ ଗ୍ରୀଡ୍କୋର ଏହି ପ୍ରସ୍ତାବିତ ଶୁଳ୍କବୃଦ୍ଧିକୁ ବିଚାର ପାଇଁ ଗ୍ରହଣ କରି ଏହା ଉପରେ ଶୁଣାଣି କରିବାର ସମ୍ଭାବନା ରହିଛି। ଗ୍ରୀଡ୍କୋର ପ୍ରସ୍ତାବିତ ଶୁଳ୍କବୃଦ୍ଧିକୁ ବିରୋଧ କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ଏକ ୬ଜଣିଆ ପ୍ରତିନିଧି ସଭାପତି ଶ୍ରୀ ରବି ବେହେରାଙ୍କ ନେତୃତ୍ୱରେ ଏକ ୬ଦଫା ସମ୍ବଳିତ ଦାବିପତ୍ର ଓ.ଇ.ଆର.ସି. ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ରନାଥ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିବା ସହିତ ଏହି ଶୁଳ୍କବୃଦ୍ଧି ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପାଇଁ ଦାବି କରିଛନ୍ତି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି କି ୧୯୯୦ ଦଶକରେ ସମଗ୍ର ଭାରତ ବର୍ଷରେ ଓଡ଼ିଶା ପ୍ରଥମେ ବିଦ୍ୟୁତ୍ ସଂସ୍କାରରେ ବା ବିଦ୍ୟୁତ୍ର ଘରୋଇକରଣ ଦିଗରେ ପାଦ ପକାଇଥିଲା। ଏହି ସଂସ୍କାରର ଆଭିମୁଖ୍ୟ ଓ ଲକ୍ଷ୍ୟ ଥିଲା ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ୨୪ ଘଣ୍ଟା ଯୋଗାଇ ଦେବା। କିନ୍ତୁ ଦୁଃଖର କଥା ବିଜୁଳି ସଂସ୍କାରର ଦୀର୍ଘ ୨୪ ବର୍ଷ ପରେ ଆଜି ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି। ଦୁର୍ନୀତି, ଅପାରଗତା ଓ ପରିଚାଳନାଗତ ଦୂରଦୃଷ୍ଟିର ଅଭାବ ଯୋଗୁଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବଢ଼ିବଢ଼ି ଚାଲିଛି। କମ୍ପାନୀମାନେ ବିଜୁଳି ଯୋଗାଇଦେବା ନାଁରେ ହଜାର ହଜାର କୋଟି ଟଙ୍କା ଲୁଟ୍ କରି ଚାଲିଯାଇଥିବା ବେଳେ ସରକାର ତାକୁ ଆଦାୟ ନ କରି ସାଧାରଣ ଗ୍ରାହକଙ୍କ ଉପରେ ବିଜୁଳି ଶୁଳ୍କର ବୋଝ ଲଦିବାର ମସୁଧା କରୁଛନ୍ତି। ଆଜି ମଧ୍ୟ ପରିବହନ ଜନିତ କ୍ଷତି ୩୦ ରୁ ୩୫ ଭାଗ ପାଖାପାଖି ରହିଛି। ଏହି କ୍ଷତିର ଆଳ ଦେଖାଇ ବିଜୁଳି ଆବଣ୍ଟନ କମ୍ପାନୀମାନେ ଶୁଳ୍କବୃଦ୍ଧି କରିବାର ପ୍ରସ୍ତାବ ରଖୁଛନ୍ତି। ଗତ ମଇ ମାସ ୨୯ତାରିଖରେ ଓ.ଇ.ଆର.ସି. କର୍ତ୍ତୃପକ୍ଷ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଶୁଳ୍କ ବୃଦ୍ଧି ନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କିନ୍ତୁ ଗ୍ରୀଡ୍କୋ କର୍ତ୍ତୃପକ୍ଷ ବିଜୁଳି କିଣାରେ ବାର୍ଷିକ ୧୭୨ କୋଟି ଟଙ୍କା ନିଅଣ୍ଟ ପଡ଼ୁଛି ବୋଲି ଦର୍ଶାଇ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ଓ.ଇ.ଆର.ସି. ନିକଟରେ ଆବେଦନ କରିଛନ୍ତି। ଓଡ଼ିଶା ଭଳି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ଏହି ଶୁଳ୍କ ବୃଦ୍ଧିର ପ୍ରସ୍ତାବର କୌଣସି ଯଥାର୍ଥତା ନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏହି ସ୍ମାରକପତ୍ରରେ କୁହାଯାଇଛି। ଦିଲ୍ଲୀ ଓ ବମ୍ବେ ଭଳି ସହରରେ ବିଜୁଳି ସାଧାରଣ ଖାଉଟିଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉତ୍ପାଦକ ଓ ବଳକା ରାଜ୍ୟରେ ବିଜୁଳି ଦର କାହିଁକି ବଢିବ, ତାକୁ ନେଇ ସମାଜବାଦୀ ପାର୍ଟି ପ୍ରଶ୍ନ କରିଛି। ଗ୍ରୀଡ୍କୋର ପ୍ରସ୍ତାବକୁ ବିଚାରକୁ ନେବା ପୂର୍ବରୁ ଓ.ଇ.ଆର.ସି. କର୍ତ୍ତୃପକ୍ଷ ନିମ୍ନ ୬ ଦଫା ଦାବି ପ୍ରତି ଦୃଷ୍ଟି ଦେବା ବିଚାରଯୋଗ୍ୟ ବୋଲି ଏହି ସ୍ମାରକପତ୍ରରେ କୁହାଯାଇଛି। ୧- ବିଦ୍ୟୁତ୍ ସଂସ୍କାର ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଆପଣ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।୨- ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ କେଉଁ କମ୍ପାନୀ ଉପରେ କେତେ ଟଙ୍କା ବାକି ପଡ଼ିଛି ଏବଂ ତାକୁ ଆଦାୟ କରିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ଦିଗରେ ଏକ ସୁବିସ୍ତୃତ ବିବରଣୀ ପ୍ରକାଶ କରାଯାଉ। ୩- ପରିବହନ ଜନିତ କ୍ଷତିପାଇଁ ଯେଉଁ ଯେଉଁ ପଦକ୍ଷେପ ନେବାକଥା ତାହା କେତେଦୂର ବିଜୁଳି କମ୍ପାନୀମାନେ ନେଇଛନ୍ତି, ଯଦି ନ ନେଇଛନ୍ତି, ସେଥିପାଇଁ ସେମାନଙ୍କ ଉପରେ ଜରିମାନା ଆଦାୟ କରାଯାଉ। ୪- ଏଥିପାଇଁ ଦାୟୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୫- ଏନର୍ଜି ଅଡିଟି ଏବଂ ବାର୍ଷିକ ଆୟବ୍ୟୟର ସି.ଏ.ଜି. ଅଡିଟି କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ। ୬- ସାଧାରଣ ଖାଉଟିମାନଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ମୂଲ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉ ଏବଂ ଅଘୋଷିତ ବିଦ୍ୟୁତ୍କାଟ୍କୁ ବନ୍ଦ କରାଯାଉ। ଏହି ପ୍ରତିନିଧି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ନାରୀନେତ୍ରୀ ଅଞ୍ଜୁସା ଦାସ, ରୀତା ପଟ୍ଟନାୟକ ଓ ବୀରେଶ୍ୱର ଗତି ପ୍ରମୁଖ ଓ.ଇ.ଆର.ସି. ଅଧ୍ୟକ୍ଷଙ୍କୁ ଭେଟି ଗ୍ରୀଡ୍କୋର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଅଗ୍ରାହ କରିବା ପାଇଁ ଆଲୋଚନା କରିଥିଲେ। ଓ.ଇ.ଆର.ସି. ଅଧ୍ୟକ୍ଷ ଏ ସମ୍ପର୍କରେ ଆଇନ୍ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଖାଉଟିଙ୍କ ଉପରେ ବିନା ବିଚାରରେ ଲଦି ଦିଆଯିବ ନାହିଁ ବୋଲି ପ୍ରତିନିଧି ଦଳଙ୍କୁ ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।