Odiapua.com

ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ପ୍ରୀତି, ଆନନ୍ଦବଜାର-ପୋଡପଡା ରାସ୍ତାରୁ ହଟୁନି ହୋଡିଂ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବିଜେପି ସରକାର ଗଠନ ହେବାର ପ୍ରାୟ ଦେଢମାସ ହୋଇଗଲାଣି । ନୂଆ ସରକାର ଆସିବା ପରେ ପୂର୍ବ ବିଜେଡି ସରକାରଙ୍କ ୫-ଟି କୁ ତୁରନ୍ତ ଉଚ୍ଛେଦ କରିବା ସହ ସ୍କୁଲ କଲେଜ, ମେଡିକାଲ ଭଳି ସମସ୍ତ ସ୍ଥାନରୁ ଏ ସଂପର୍କିତ ହୋଡିଂ ହଟାଇବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ଫଳରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଧିକାଂଶ ସ୍ଥାନରୁ ହୋଡିଂ ସବୁ ଖୋଲିନିଆଯାଇଛି । କିନ୍ତୁ ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ପ୍ରୀତି ଏପର୍ଯ୍ୟନ୍ତ ଯାଇନଥିବା ଧାରଣା ସାଧାରଣରେ ଭ୍ରମ ସୃଷ୍ଟି କରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଅଧୀନରେ ହେଉଥିବା ଏକ ପ୍ରକଳ୍ପ କାର୍ଯ୍ୟରେ । ଭଦ୍ରକ-ଆଖଣ୍ଡଳମଣି ପୂର୍ତ ବିଭାଗ ସଡକର ଆନନ୍ଦ ବଜାର ଠାରୁ ଗଂଜାମାଳ-ପୋଡପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସମ୍ବଳିତ ୫-ଟିର ଏକ ବଡ ହୋଡିଂ ଆନନ୍ଦ ବଜାର ଠାରେ ଅନେକ ଦିନ ହେଲା ଦେଖିବାକୁ ମିଳିଛି । ଇତିମଧ୍ୟରେ ସରକାର ବଦଳିବା ସାଙ୍ଗକୁ ନୂଆ ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରିବାର ପ୍ରାୟ ଦେଢମାସ ହୋଇଗଲାଣି । କିନ୍ତୁ ବିବାଦୀୟ ୫-ଟି ଯୋଜନା ପ୍ରତ୍ୟାହାର ସତ୍ୱେ ପୂର୍ବ ହୋଡିଂ ପରିବର୍ତନ କରାଯାଉନଥିବାର ଦେଖିବାକୁ ମିଳିଛି । ଏ କ୍ଷେତ୍ରରେ ସଂପୃକ୍ତ ବିଭାଗର ଖାମଖିଆଲୀ ମନୋଭାବ ଉପରେ ପ୍ରଶ୍ନ ଉଠିଛି । ସରକାରଙ୍କ ନିଷ୍ପତିକୁ ସରକାରଙ୍କ ବିଭାଗ କାର୍ଯ୍ୟକାରୀ କରିବା ଦିଗରେ ହେୟ ମନୋଭାବ ପୋଷଣ କରୁଛି । ତେଣୁ ତୁରନ୍ତ ଅଚଳ ହୋଇଥିବା ୫-ଟି ହୋଡିଂ ହଟାଇବା ପାଇଁ ସ୍ଥାନୀୟ ଶାସକ ଦଳର ସମର୍ଥକ ଏବଂ ନେତୃମଣ୍ଡଳୀ ଦାବି କରିଛନ୍ତି ।