Odiapua.com

ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା : ବିଜେଡି

ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶା ପାଇଁ ଆବାସ ପୋର୍ଟାଲ୍ ଖୋଲିଲେନି କର୍ଣ୍ଣାଟକକୁ ହଁ, ଓଡ଼ିଶାକୁ ନା
ଷଡ଼ଯନ୍ତ୍ର କରି ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କୁ ଘର ପାଇବାରୁ ବଞ୍ଚିତ କରିଛି ବିଜେପି

ଭୁବନେଶ୍ୱର, ୩୧/୦୧ (ଓଡ଼ିଆ ପୁଅ) : ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି। ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ପକ୍ଷପାତିତାପୂର୍ଣ୍ଣ ଆଚରଣର ଆଉ ଏକ ପ୍ରମାଣ ପଦାକୁ ଆସିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଶ୍ରୀମତୀ ସୁଲତା ଦେଓ।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଦ୍ୱୟ କହିଛନ୍ତି ଯେ ଗ୍ରାମୀଣ ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇବାରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ମାତ୍ର ପ୍ରାୟ ୨ ବର୍ଷ ହେଲା କେନ୍ଦ୍ର ସରକାର ଆବାସ ଯୋଜନାରେ ଓଡ଼ିଶା ଲୋକଙ୍କୁ ଘର ମଞ୍ଜୁର କରୁନାହାନ୍ତି। ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ। ଓଡ଼ିଶାବାସୀ ବିଜେପି ସାଂସଦମାନଙ୍କୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପଠାଇଥିବାବେଳେ ସେମାନେ ଏହାର ବିପରୀତ ଆଚରଣ କରୁଛନ୍ତି।

ମୁଖ୍ୟତଃ କେବିକେ ଜିଲ୍ଲାର ମୁଣ୍ଡ ଉପରେ ଛାତ ନଥିବା ୬ ଲକ୍ଷ ୬୫ ହଜାର ଗରିବ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଓଡ଼ିଶାର ବିଜେପି ସାଂସଦମାନେ ଷଡ଼ଯନ୍ତ୍ର କରି ଏହାକୁ ଅଟକାଇ ରଖିଛନ୍ତି। କେନ୍ଦ୍ର ସରକାର ଆବାସ ପୋର୍ଟାଲ ଖୋଲୁନଥିବାରୁ ଓଡ଼ିଶା ସରକାରଙ୍କ ଏ ସମ୍ପର୍କିତ ଡାଟା ସ୍ଥାନାନ୍ତର ହୋଇପାରୁ ନାହିଁ। ପୋର୍ଟାଲ ଖୋଲିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ପୂର୍ବରୁ ଚିଠି ଲେଖିଲେ ମଧ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ କର୍ଣ୍ଣପାତ କରୁନାହାନ୍ତି। ଦୈବୀ ଦୁର୍ବିପାକ ଯୋଗୁଁ ଓଡିଶା ବାରମ୍ବାର କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଗରିବ ଓଡ଼ିଆ ଲୋକଙ୍କୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରି ରଖାଯାଇଛି। ଖାଲି ସେତିକି ନୁହେଁ, ୨୦୧୯ ମେ’ ମାସରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ୧.୮୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ଘର ମଞ୍ଜୁର ହୋଇଥିଲେ ବି ତାହା ଏଯାଏଁ ପ୍ରଦାନ କରାଯାଇ ନାହିଁ।

ଏଭଳି ସ୍ଥିତିରେ ନିକଟରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଲାଗି ଆବାସ ପୋର୍ଟାଲ ଖୋଲିଛନ୍ତି। କିନ୍ତୁ ଓଡ଼ିଶାର ହକ୍‌କୁ ଷଡ଼ଯନ୍ତ୍ର କରି କାଟି ଦେଇଛନ୍ତି। ଏଥିରୁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଏବଂ ଓଡ଼ିଶାର ବିଜେପି ସାଂସଦମାନଙ୍କ ଚକ୍ରାନ୍ତ ଜଳଜଳ ହୋଇ ଦେଖାଯାଉଛି। ଆଜି ମଧ୍ୟ ଆମ ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ପୁଣି ଅନୁରୋଧ କରିଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାବି ପୂରଣ ନ କରନ୍ତି ତେବେ ସଚେତନ ଓଡ଼ିଶାବାସୀ ଓଡ଼ିଶା ପ୍ରତି ଏହି ଅବହେଳା ଓ ଏଭଳି ହୀନ ରାଜନୀତିକୁ କେବେବି ବରଦାସ୍ତ କରିବେ ନାହିଁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି।