Odiapua.com

ଗ୍ରାମାଞ୍ଚଳରେ ପୌରାଞ୍ଚଳ ଅଳିଆ, ପରିବେଶ ପ୍ରଦୂଷଣ, ବଢୁଛି ଅସନ୍ତୋଷ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳରେ ପୌରାଞ୍ଚଳର ଅଳିଆ ଜମୁଛି। ପୌର ପ୍ରଶାସନର ଅଳିଆ ବୋହିବା ଗାଡି ନିର୍ଦ୍ଧାରିତ ସ୍ଥାନରେ ଅଳିଆ ନକାଇ ଏବେ ଜାତୀୟ ରାଜପଥ ପାଶ୍ୱର୍ରେ ପକାଇ ପଳାଉଛି। ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ ଭଦ୍ରକ ପୌରପାଳିକା ଆଜିଯାଏ ସ୍ଥାନାଭାବ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ବର୍ଜ୍ୟବସ୍ତୁ ପରିଚାଳନା (ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ) ବ୍ୟବସ୍ଥା କରିବାକୁ ଅକ୍ଷମ ହୋଇଛି। ସହରର ବର୍ଜ୍ୟବସ୍ତୁକୁ ପୂର୍ବରୁ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱ ଡାହାଣୀଗଡିଆ ଠାରେ ପକାଇଦେବା ପରେ କିଛିଦିନ ବ୍ୟବଧାନରେ ଏହାକୁ ନିଆଁ ଲଗାଇ ପୋଡି ଦେଉଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେବା ପରେ ଏହା ପୌର ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତେଣୁ ପ୍ରଶାସନ ପକ୍ଷରୁ ଧାମରାକୁ ଯାଇଥିବା ରେଳଲାଇନ୍ ପାର୍ଶ୍ୱ ଏଲ୍ ଏଣ୍ଡ ଟି ପୋଖରୀକୁ ଡମ୍ପିଂୟାର୍ଡ କରିବା ସହିତ ଏଠାରେ ସମସ୍ତ ଅଳିଆ ପକାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସ୍ଥାନରେ ଗତ ୪ ବର୍ଷ ହେଲା ପୌରାଞ୍ଚଳର ସମସ୍ତ ଅଳିଆ ପଡୁଥିଲା। କିନ୍ତୁ ଏବେ ପୌରପାଳିକାର ଅଳିଆ ବୁହା ଗାଡି ଉକ୍ତ ଡମ୍ପିଂୟାର୍ଡ ନିକଟକୁ ନଯାଇ ୧୬ ନଂ ଜାତୀୟ ରାଜପଥର ଧାମରାକୁ ଯାଇଥିବା ରେଳ ଓଭରବ୍ରିଜ୍ ପାଶ୍ୱର୍ରେ ସମସ୍ତ ଅଳିଆକୁ ପକାଇ ପଳାଉଛନ୍ତି।

ଏହା ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି। ତେଣୁ ଉକ୍ତ ରାସ୍ତାରେ ଯିବାଆସିବା କରିବା ପଥାରୋହୀଙ୍କ ପାଇଁ ଦୁର୍ବିସହ ହୋଇପଡୁଛି। ସୂଚନାଯୋଗ୍ୟ, ଉକ୍ତ ସ୍ଥାନଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏକ କଲ୍ୟାଣ ମଣ୍ଡପ। ବହୁ ମାଙ୍ଗଳିକ ଓ ସାମାଜିକ ସଂଗଠନର କାର୍ଯ୍ୟ ଏଠାରେ ଅନୁଷ୍ଠିତ ହୋଇଥାଏ। ସେହିପରି ଅଳ୍ପ ଦୂରରେ ରହିଛି ଏକ ଭିନ୍ନକ୍ଷମ ଅନୁଷ୍ଠାନ। ଓଡ଼ିଶା ସରକାରଙ୍କ ଖାଦ୍ୟ ଡିପୋ ଓ ଏକ ହୋଟେଲ ମଧ୍ୟ ଅନତି ଦୂରରେ ରହିଛି। ଏହାବ୍ୟତୀତ ପ୍ରାୟ ୫ଟି ପଂଚାୟତବାସୀ ଏହି ରାସ୍ତା ଦେଇ ନିଜ ଗ୍ରାମକୁ ଯିବାଆସିବା କରିଥାନ୍ତି। ହେଲେ ଏପରି ସମସ୍ୟା ସୃଷ୍ଟି ହେବା ପରେ ଏହାକୁ ନେଇ ପୌର କର୍ତ୍ତୃପକ୍ଷ ଚିନ୍ତା ନାହିଁ କି ଜିଲା ପ୍ରଶାସନର ଚିନ୍ତା ନାହିଁ। ଏହା ଦ୍ୱାରା କେବଳ ଯେ ପରିବେଶ ପ୍ରଦୂଷଣ ହେଉଛି, ତାହା ନୁହେଁ, ବରଂ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ମଧ୍ୟ ଏଠାରେ ବଢି ଚାଲିଛି। ସୂଚନା ଅନୁସାରେ କିଛିଦିନ ପୂର୍ବେ ଏଠାରେ ଜଣେ ଯୁବତୀଙ୍କ ଗଳିତ ଶବ ମିଳିଥିଲା। ଅନୁରୂପ ନିକଟସ୍ଥ ପୋଖରୀରୁ ଜଣେ ଯୁବକଙ୍କ ଶବ ମଧ୍ୟ ମିଳିଥିଲା। ଉଭୟ ମାମଲାରେ ଉପଯୁକ୍ତ ତଦନ୍ତ ନକରି ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ନିରବ ବସିଥିଲା। ତେଣୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ପରେ ପୌର କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ ନହେଲେ ଆଞ୍ଚଳିକ ବିରୋଧ ମହଙ୍ଗା ପଡିବ ବୋଲି ମତପ୍ରକାଶ ପାଇଛି।