Odiapua.com

‘ଗୌରୀପ୍ରଭା’ର ଦ୍ୱିତୀୟ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସଂସ୍କୃତି ଭବନଠାରେ ବାର୍ଷିକ ସାହିତ୍ୟ ପତ୍ରିକା ‘ଗୌରୀପ୍ରଭା’ର ଦ୍ୱିତୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ‘ପ୍ରେମପୃଥିବୀ’ର ପ୍ରତିଷ୍ଠାତା ସଂପାଦକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ଫନୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ କବି ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା, କବି ପ୍ରବାସିନୀ ମହାକୁଡ ଓ କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଆ କବିତା ସମଗ୍ର ଭାରତବର୍ଷରେ ଅନ୍ୟ ପ୍ରାଦେଶିକ କବିତାମାନଙ୍କ ତୁଳନାରେ ବହୁ ଉର୍ଦ୍ଧ୍ୱରେ ବୋଲି ବିଶିଷ୍ଟ ବକ୍ତାମାନେ ସ୍ପଷ୍ଟ ମତ ପୋଷଣ କରିଥିଲେ। ଉତ୍ସବର ପ୍ରଥମ ଅଧିବେଶନରେ କବି ଅପର୍ଣ୍ଣା ମହାନ୍ତିଙ୍କୁ ‘ଗୌରୀପ୍ରଭା ସାରସ୍ୱତ ସମ୍ମାନ-୨୦୨୫’ ସ୍ୱରୂପ ଉତରୀୟ, ମାନପତ୍ର, ସମ୍ମାନ ଫଳକ ସହ ପାଂଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି କବି ପ୍ରବାସିନୀ ମହାକୁଡଙ୍କୁ ‘ଗୌରୀପ୍ରଭା କବିତା ସମ୍ମାନ’, କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ‘ଗୌରୀପ୍ରଭା କଥା ସମ୍ମାନ’ ଏବଂ କବି ସୁମିତ ପଣ୍ଡାଙ୍କୁ ‘ଗୌରୀପ୍ରଭା ଯୁବ ପ୍ରତିଭା ସମ୍ମାନ’ ସ୍ୱରୂପ ଉତରୀୟ, ମାନପତ୍ର, ସମ୍ମାନ ଫଳକ ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। କବି କିଶୋର ପାଣିଗ୍ରାହୀଙ୍କ ଦ୍ୱାରା ସଂଚାଳିତ ଏହି ଉତ୍ସବରେ ପତ୍ରିକାର ସହ-ସଂପାଦକ କବି ସୁରଞ୍ଜନ ପାତ୍ର ପ୍ରାମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଯୁବ କଥାକାର ଦେବବ୍ରତ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ, ଭାଗ୍ୟଶ୍ରୀ ଦେ, ପ୍ରତିଭା ଖିଲାର, ରଶ୍ମିତା ବେହେରା ପ୍ରମୁଖ ମାନପତ୍ର ପାଠ କରିବା ସହ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶ ଥାଉ କି କବି ପତିତପାବନ ପାଣିଙ୍କ ସଂପାଦନାରେ ‘ଗୌରୀପ୍ରଭା’ ଦୁଇବର୍ଷ ହେବ ଏକ ଅନନ୍ୟ ସାହିତ୍ୟ ପତ୍ରିକା ଭାବେ ପ୍ରକାଶିତ ହୋଇଆସୁଛି। ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ଅଧିବେଶନ, କବିତା ପାଠୋତ୍ସବରେ ଇଂ ଯାମିନୀକାନ୍ତ ଦାସ ସଭାପତି, ଆର୍ଯ୍ୟ ଦାସ ମୁଖ୍ୟ ଅତିଥି , କବି ପ୍ରଭାତନଳିନୀ ମହାପାତ୍ର ସମ୍ମାନିତ ଅତିଥି, କବି ଅବନୀ ପ୍ରଧାନ ମୁଖ୍ୟବକ୍ତା ଏବଂ କବି ସଂଜିତ୍ ବଳ ସମ୍ମାନିତ ବକ୍ତା ଭାବେ ମଂଚ ମଣ୍ଡନ କରିଥିଲେ। ଯୋଗ୍ୟଶ୍ରୀ ସାମଲ ଓ ପ୍ରତିଭା ଖିଲାରଙ୍କ ସଂଯୋଜନାରେ ଓଡିଶାର ବିଭିନ୍ନ ପ୍ରନ୍ତରୁ ଯୁବ ପିଢିର ନିମନ୍ତ୍ରିତ କବିମାନେ ସ୍ୱରଚିତ କବିତା ଆବୃତିରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମସ୍ତ କବିଙ୍କୁ ସମ୍ମାନ ଫଳକ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ‘ଗୌରୀପ୍ରାଭା’ର ପ୍ରତିଷ୍ଠାତା ସଂପାଦକ ଇଂ ପତିତପାବନ ପାଣି ସଂଯୋଜିତ କରିଥିଲେ।