ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ସଂସ୍କୃତି ଭବନଠାରେ ବାର୍ଷିକ ସାହିତ୍ୟ ପତ୍ରିକା ‘ଗୌରୀପ୍ରଭା’ର ତୃତୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ‘ପ୍ରେମପୃଥିବୀ’ର ପ୍ରତିଷ୍ଠାତା ସଂପାଦକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଡ଼କ୍ଟର ଅବନୀ ପ୍ରଧାନ ସମ୍ମାନୀତ ଅତିଥି, ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ କବି ଉମାକାନ୍ତ ରାଉତ ବରଣ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଓଡିଆ କବିତା ସମଗ୍ର ଭାରତବର୍ଷରେ ଅନ୍ୟ ପ୍ରାଦେଶିକ କବିତାମାନଙ୍କ ତୁଳନାରେ ବହୁ ଉର୍ଦ୍ଧ୍ୱରେ ବୋଲି ବିଶିଷ୍ଟ ବକ୍ତାମାନେ ସ୍ପଷ୍ଟ ମତ ପୋଷଣ କରିଥିଲେ। ଉତ୍ସବର ପ୍ରଥମ ଅଧିବେଶନରେ ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କୁ ‘ଗୌରୀପ୍ରଭା ସାରସ୍ୱତ ସମ୍ମାନ-୨୦୨୬’ ସ୍ୱରୂପ ଉତରୀୟ, ମାନପତ୍ର, ସମ୍ମାନ ଫଳକ ସହ ପାଂଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି କବି ଇନ୍ଦିରା ଦାଶଙ୍କୁ ‘ଗୌରୀପ୍ରଭା କବିତା ସମ୍ମାନ’, ଗାଳ୍ପିକ ଅମରେଶ ବିଶ୍ୱାଳଙ୍କୁ ‘ଗୌରୀପ୍ରଭା ଗଳ୍ପ ସମ୍ମାନ’ ଏବଂ କବି ଜୟଦ୍ରଥ ସୁନାଙ୍କୁ ‘ଗୌରୀପ୍ରଭା ଯୁବ ପ୍ରତିଭା ସମ୍ମାନ’ ସ୍ୱରୂପ ଉତରୀୟ, ମାନପତ୍ର, ସମ୍ମାନ ଫଳକ ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। କବି କିଶୋର ପାଣିଗ୍ରାହୀଙ୍କ ଦ୍ୱାରା ସଂଚାଳିତ ଏହି ଉତ୍ସବରେ ପତ୍ରିକାର ସହ-ସଂପାଦକ କବି ସୁରଞ୍ଜନ ପାତ୍ର ପ୍ରାମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଯୁବ କବି ବିଶ୍ୱନାଥ କିଙ୍କର ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉ କି କବି ପତିତପାବନ ପାଣିଙ୍କ ସଂପାଦନାରେ ‘ଗୌରୀପ୍ରଭା’ ତିନିବର୍ଷ ହେବ ଏକ ଅନନ୍ୟ ସାହିତ୍ୟ ପତ୍ରିକା ଭାବେ ପ୍ରକାଶିତ ହୋଇଆସୁଛି। ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ଅଧିବେଶନ, କବିତା ପାଠୋତ୍ସବରେ ଡ଼କ୍ଟର ଝରଣା ପଟ୍ଟନାୟକ ସଭାପତି, କବି ସଂଜିତ ବଳ ମୁଖ୍ୟ ଅତିଥି ଭାବେ ମଂଚ ମଣ୍ଡନ କରିଥିଲେ। ଆକାଶବାଣୀ ସମ୍ବଲପୁରର ସଂଯୋଜିକା ମିତା ପଟନାୟକ ଓ କବି ପ୍ରତିଭା ଖିଲାରଙ୍କ ସଂଯୋଜନାରେ ଓଡିଶାର ବିଭିନ୍ନ ପ୍ରନ୍ତରୁ ଯୁବ ପିଢିର ନିମନ୍ତ୍ରିତ କବିମାନେ ସ୍ୱରଚିତ କବିତା ଆବୃତିରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମସ୍ତ କବିଙ୍କୁ ସମ୍ମାନ ଫଳକ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ‘ଗୌରୀପ୍ରଭା’ର ପ୍ରତିଷ୍ଠାତା ସଂପାଦକ ଇଂ ପତିତପାବନ ପାଣି ସଂଯୋଜିତ କରିଥିଲେ।