Odiapua.com

ଗୌଡୁଣୀ ପୋଖରୀରେ ଘର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଆହତ, ବାଂଶଡା ଥାନାଧିକାରୀଙ୍କ ପକ୍ଷପାତିତାକୁ ନେଇ ଅଭିଯୋଗ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧିନସ୍ଥ ମଉଶୁଧା ପଂଚାୟତ ଅର୍ନ୍ତଗତ ଗୌଡୁଣୀ ପୋଖରୀ ଗ୍ରାମରେ ଏକ ଘର ନିର୍ମାଣକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପ୍ରାପ୍ତ ଖବର ଅନୁଯାୟୀ ଏହି ଗ୍ରାମରେ ଅଷ୍ଟଶମ୍ଭୁ ରାଉତ ନିଜର ଏକ ସ୍ଥାନରେ ଘର ନିର୍ମାଣ କରୁଥିବା ବେଳେ ସେହି ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଅଷ୍ଟଶମ୍ଭୁ ରାଉତଙ୍କୁ ସେହି ସର୍ବସାଧାରଣ ସ୍ଥାନରେ ଘର ନିର୍ମାଣ କରିବାକୁ ବିରୋଧ କରିଥିଲେ। ମାତ୍ର ସଂପୃକ୍ତ ବ୍ୟକ୍ତି କାହାରିଙ୍କ କଥାକୁ ଭୃକ୍ଷେପ ନକରି ସେହି ସ୍ଥାନରେ ଘର ନିର୍ମାଣ ଆରମ୍ଭ କରିଥିଲେ।ଏହି ଘର ନିର୍ମାଣ ହେଉଥିବା ସମୟରେ ଅନ୍ୟ ଗୋଷ୍ଠୀର କିଛି ଲୋକ ଯାଇ ଘର ନିର୍ମାଣ କରୁଥିବା ଶ୍ରମିକଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ। ପରେ ସେହି ସ୍ଥାନରେ ଉପସ୍ଥିତ ଥିବା ଅଷ୍ଟଶମ୍ଭୁ ରାଉତ, ଶାନ୍ତିଲତା ରାଉତ ଏବଂ ହରିହର ରାଉତଙ୍କୁ ବିପକ୍ଷ ଗୋଷ୍ଠୀ ଲୁହା ରଡ ସାହାଯ୍ୟରେ ଆକ୍ରମଣ କରିଥିଲେ ବୋଲି ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାରେ ଆହତ ହୋଇ ଶାନ୍ତିଲତା, ହରିହର ଏବଂ ଅଷ୍ଟଶମ୍ଭୁ ରାଉତ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ସମସ୍ତ ଘଟଣା ବାଂଶଡା ଥାନାଧିକାରିଙ୍କ ଜ୍ଞାତ ସାରରେ ହୋଇଥିବା କଥା ଶାନ୍ତିଲତା ରାଉତ ଗଣ ମାଧ୍ୟମ ଆଗରେ କହୁଥିବା ବେଳେ ବାଂଶଡା ଥାନାଧିକାରୀ ଚାହିଁଥିଲେ ସେମାନଙ୍କୁ ସୁରକ୍ଷା ଦେଇ ପାରିଥାନ୍ତେ ବୋଲି ମତ ରଖିଥିଲେ। ମାତ୍ର ମଉଶୁଧା ପଂଚାୟତରେ ହିଂସା ପଂଚାୟତ ନିର୍ବାଚନ ଠାରୁ ଲାଗି ରହିଛି ବୋଲି ଅଂଚଳବାସୀ ଅଭିଯୋଗ କରୁଥିବା ବେଳେ ଆଜିର ଏହି ହିଂସାକୁ ପୁଲିସ ପ୍ରଶାସନ ଚାହିଁଥିଲେ ନିଜ ନିଜ ମଧ୍ୟରେ ଶାନ୍ତିଶୃଙ୍ଖଳା ବଜାଇ ରଖି ପାରିଥାନ୍ତେ ବୋଲି ମଧ୍ୟ ଗ୍ରାମବାସୀ ନିଜର ବକ୍ତବ୍ୟ ରଖିଥିଲେ ମାତ୍ର ବାଂଶଡା ଥାନାଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ।