ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବାଂଚଳ ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ ହୋଇଛି। ବିଶେଷକରି ଭଦ୍ରକର ପୁରୁଣାବଜ଼ାରରେ ୫ଟି ଓ ଗୁଜିଦରଡ଼ାରେ ୩ଟି ମୋଟ ୯ଟି ସ୍ଥାନରେ ମଙ୍ଗଳବାର ଭୋର ସମୟରୁ ଦିନ ୧୨ଟା ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରେଡ ଆରମ୍ଭ କରାଯାଇଥିଲା । ଭଦ୍ରକର ଗୁଜିଦରଡା, ଅଲାଲପୁର, ସନ୍ଥିଆ, ମିର୍ଜାପୁର ଭଳି ସ୍ଥାନରେ ଏହି ଚଢାଉ ହୋଇଥିଲା। ଚଢ଼ାଉ ବେଳେ ସମୁଦାୟ ୧୨ ଲକ୍ଷ ୧୩ ହଜାର ୪୧୦ ଟଙ୍କା ଜବତ ହୋଇଛି । ସମାନ ଭାବେ ୧ କିଲୋ ୫୯୫ ମିଲିଗ୍ରାମ ସୁନା ଅଳଙ୍କାର , ୪ କିଲୋ ୨୦୦ ମିଲିଗ୍ରାମ୍ ରୂପା ଅଳଙ୍କାର ଜବତ୍ କରିଛି ପୋଲିସ । ଗୋ ଚାଲାଣ ରେ ବ୍ୟବହୃତ ୬ ଟି ଚାରି ଚକିଆ ଗାଡ଼ି ସହ ୮ ଟି ମୋଟର ସାଇକେଲ, ୬ଟି ଖଣ୍ଡା ଓ ଗୋଟିଏ ଖେଳନା ବନ୍ଧୁକ, ବ୍ୟାଙ୍କ ପାସବୁକ୍ ୧୭, ଏଟିଏମ୍ କାର୍ଡ ୧୨ ଟି ଜବତ ହୋଇଛି । ତେବେ ଏହି ଗୋ ମାଫିଆ ଙ୍କ ବାହାର ରାଜ୍ୟ ର ଲିଙ୍କ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏମାନେ ବେଆଇନ୍ ଗୋ ଚାଲାଣ କରି ବିପୁଳ ଅର୍ଥ ରୋଜଗାର କରିବା ଓ ଏଥିପାଇଁ ବିଭିନ୍ନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗରେ ଏହି ଚଢାଉ କରାଯାଇଛି ବୋଲି ସୂଚନା ମିଳିଛି। ଆଗାମୀ ଦିନ ରେ ବେଆଇନ ଗୋ ଚାଲାଣ ରୋକିବା ଦିଗ ରେ ପୋଲିସ ଅଧିକ ଧ୍ୟାନ ଦେବ ବୋଲି କହିଛି । ୬ ଗୋ’ ମାଫିଆଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ନାମରେ ଜିଲାର ବିଭିନ୍ନ ସ୍ଥାନରେ ଗୋ ତସ୍କରୀ ଓ ଗୋ ମାଂସ ଚାଲାଣ ନେଇ ମାମଲା ରହିଛି। ଦୀର୍ଘ ଦଶନ୍ଦି ପରେ ପ୍ରଥମ କରି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଗୋ ମାଫିଆଙ୍କ ମଧ୍ୟରେ ଭୟ ସଂଚାର ହୋଇଛି। ତେବେ ଏମାନଙ୍କୁ ଆର୍ଥିକ ସହଯୋଗ କରି ନିଜର ବ୍ୟବସାୟ ବଢାଉଥିବା ବହୁ ସହଯୋଗୀଙ୍କୁ ପୁଲିସ୍ ଖୁବଶୀଘ୍ର ଗିରଫ କରିବ ବୋଲି ଜଣାପଡିଛି। ଗୋ’ ମାଫିଆମାନେ ବିଭିନ୍ନ ସମୟରେ ଗୋ’ ମାଂସ ଓ ଗୋଚାଲାଣ କରି ବହୁ ପରିମାଣରେ ଟଙ୍କା ସୁନା ଗଚ୍ଛିତ ରଖିବା ସହ ବିଭିନ୍ନ ସମୟରେ ହିଂସା ଓ ଗଣ୍ଡଗୋଳ ଘଟୁଥିବା କାରଣରୁ ଏହି ରେଡ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ମନୋଜ ରାଉତ କହିଛନ୍ତି । ଏହି ଚଢ଼ାଉ ରେ ୨ ଡ଼ିଏସପି, ୧୦ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୮ଟି ପୋଲିସ ଟିମ ସହ ୬ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ।