Odiapua.com

ଗୋ ଚାଲାଣ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲା ବଜରଙ୍ଗ ଦଳ

ନୟାଗଡ଼ ୨୧/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳରୁ ବେଗୁନିଆ ଥାନା ଅଂଚଳକୁ ଗୋ ଚାଲାଣ ନେଇ ରଣପୁର ବଜରଙ୍ଗଦଳ ଉଦବେଗ ପ୍ରକାଶ କରିଛି। ଏ ନେଇ ବଜରଙ୍ଗ ଦଳର ସଦସ୍ୟମାନେ ମିଳିତ ହୋଇ ଅଣ୍ଟା ଭିଡିଥିବା ଜଣାପଡିଛି। ରଣପୁର ବଜରଙ୍ଗ ଦଳ କର୍ମୀମାନେ ଗୋଡିପଡା ପଟୁ ଗୋଚାଲାଣ ହେଉଥିବା ଖବର ପାଇ ଅଗଷ୍ଟ ୨୧ ତାରିଖ ଭୋର ସମୟରେ ରଣପୁର ଥାନା ପୋଲିସ ଉପନିରୀକ୍ଷକ ସଂଜୟ ପରିଡ଼ା ଓ ବଜରଙ୍ଗ ଦଳ ରଣପୁର ସାନଗଡ ଠାରେ ଛକି ରହିଥିଲେ। ଓ ଡି ୨୫ ଏ ୭୪୭୩ ନମ୍ବର ବିଶିଷ୍ଟ ଡାଲା ଅଟୋକୁ ଅଟକାଇଥିଲେ। ଡାଲା ଅଟୋରେ ଥିବା ୪ ଗୋଟି ଗାଈ ବଳଦଙ୍କୁ ଜବତ କରିଥିଲେ। ଡ୍ରାଇଭର ଘଟଣାସ୍ଥଳରୁ ଅଟୋ ଛାଡ଼ି ଦଉଡ଼ି ପଳାଇ ଯାଇଥିଲା।

ପୋଲିସ ଓ ବଜରଙ୍ଗ ଦଳ ପିଲାମାନେ ଅଟୋ ଥାନାରେ ଜିମା ଦେବା ସହ ଜବତ ଗାଈ ବଳଦ ଙ୍କୁ ରଣପୁର ହରଚଣ୍ଡି ଗୋଶାଳାରେ ଛାଡିଥିଲେ। ଫେରାର ହୋଇଥିବା ଡ୍ରାଇଭର ବେଗୁନିଆ ଥାନା ଜାମୁସାହି ଗ୍ରାମର ସିକନ୍ଦର ଖାଁ ଙ୍କ ପୁଅ ତାଝର୍ ଖାଁ କୁ ସାନଗଡ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଥିଲେ। ସେହିଭଳି ଭାବରେ ପାମ୍ପଡା ଛକରେ ମଧ୍ୟ ଏକ ଡାଲା ଅଟୋରେ ପୁଣି ୪ ଗାଈ ବଳଦ ଙ୍କୁ ଜବତ କରିବା ସହ ଗୋ ଚାଲାଣ ଅଭିଯୋଗରେ ବେଗୁନିଆ ଥାନା ବାୟାପଲ୍ଲୀ ଗ୍ରାମର ବସନ୍ତ ନାୟକକୁ ଗିରଫ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ରଣପୁର ଅଦାଲତ କୁ ଚାଲାଣ କରିଥିବା ଜଣାପଡିଛି। ସମସ୍ତ ଜବତ ଗାଈ ବଳଦ ହରଚଣ୍ଡି ଗୋଶାଳାରେ ଜିମା ଦିଆଯାଇଥିବା ପୋଲିସ ଉପନିରୀକ୍ଷକ ସଂଜୟ ପରିଡା ସୂଚନା ଦେଇଛନ୍ତି।