ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ମୁସ୍ତଫାପୁର ସ୍ଥିତ ଐତିହାସିକ ଗୌରବ ବହନ କରୁଥିବା ଗୋହିରାଟିକିରି ମଠ ଏବେ ବିବାଦ ଘେରରେ । ମଠର ମହନ୍ତ ଜଗନ୍ନାଥ ସାହୁଙ୍କ ବିରୋଧରେ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଥିବା ବେଳେ ଏକ ‘ଭାଇରାଲ୍ ଅଡିଓ’ ଏହି ବିବାଦକୁ ଆହୁରି ତୀବ୍ର କରିଛି। ସୁଚନା ଥାଉକି ୧୫୬୮ ମସିହାରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦ ଦେବ ଏହି ସ୍ଥାନରେ ଶେଷ ଯୁଦ୍ଧ ଲଢ଼ି ଶହୀଦ ହୋଇଥିଲେ। ଏହି ମଠ ସେହି ବୀରତ୍ୱର ମୂକସାକ୍ଷୀ ଭାବେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ହୋଇ ରହିଆସିଛି। ଗତବର୍ଷ ମାର୍ଚ୍ଚ ମାସରେ ଜଗନ୍ନାଥ ସାହୁ ମହନ୍ତ ଦାୟିତ୍ୱ ନେବା ପରଠାରୁ ସ୍ଥାନୀୟ ଗ୍ରାମବାସୀଙ୍କ ସହ ତାଙ୍କର ମତଭେଦ ଦେଖାଦେଇଛି। ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ମହନ୍ତ ମଠରେ ‘ମେରି ରାୟ’ ନୀତି ଚଳାଇଛନ୍ତି ଏବଂ ଶ୍ରଦ୍ଧାଳୁ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସ୍ଥାନୀୟ ପୁରୁଷଙ୍କୁ ଗାଳିଗୁଲଜ କରିବା ସହ ଜାତିଗୋତ୍ର ନେଇ ଆକ୍ଷେପ କରୁଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ପାଂଚ ଖଣ୍ଡ ଗାଁର ଲୋକେ ଦୁଇଥର ବୈଠକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସବୁଠାରୁ ଚାଂଚଲ୍ୟକର ବିଷୟ ହେଉଛି ମହନ୍ତ ଓ ଜଣେ ଗୁଣିଆ ଙ୍କ ମଧ୍ୟରେ ହୋଇଥିବା ବାର୍ତାଳପର ଏକ ଅଡିଓ ଭାଇରାଲ୍ ହେବା। ଅଡିଓରେ ମହନ୍ତ କହୁଛନ୍ତି ଯେ, ନୂଆ ସରକାର ଅମଳରେ ମଠର ବିକାଶ ପାଇଁ କୋଟି କୋଟି ଟଙ୍କା ଆସିବାକୁ ଅଛି, ଯାହା ଗ୍ରାମବାସୀଙ୍କ ସହ୍ୟ ହେଉନାହିଁ। ସେମାନେ ମୋତେ ହଟାଇ ସମ୍ପତି ହଡ଼ପ କରିବାକୁ ଚାହୁଁଛନ୍ତି। ଅପର ପକ୍ଷରେ, ଉକ୍ତ ଗୁଣିଆ ଜଣକ ମହନ୍ତଙ୍କୁ ସତର୍କ କରାଇ କହୁଛନ୍ତି ଯେ ଗାଁ ଲୋକେ ତାଙ୍କ ନାଁରେ ମିଥ୍ୟା ନାରୀ ନିର୍ଯାତନା ମାମଲା କରିବେ। ଏଥିରୁ ବର୍ତିବା ପାଇଁ ଗୁଣିଆ ଜଣକ ମହନ୍ତ ଙ୍କୁ ୧ ଲକ୍ଷ ଟଙ୍କା ମାଗିଛନ୍ତି, ଯାହା ବଦଳରେ ସେ ଗୁଣି କରି ଗାଁ ଲୋକଙ୍କୁ ଚୁପ୍ କରିଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏହି ଅଡିଓ ପ୍ରଘଟ ହେବା ପରେ ଗୁଣିଗାରେଡ଼ି ଭୟରେ ଗ୍ରାମବାସୀ ଧାମନଗର ଥାନାରେ ଏତଲା ଦେଇଛନ୍ତି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଶୁଭ୍ରଜିତ୍ ଦାସ କହିଛନ୍ତି ଯେ, ପୋଲିସ ଏତଲା ଗ୍ରହଣ କରିଛି। ତଦନ୍ତ ଚାଲିଛି ଏବଂ ସଠିକ୍ ତଥ୍ୟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଥିବା ବେଳେ, ଐତିହାସିକ ଗୋହିରାଟିକିରି ମଠର ପବିତ୍ରତା ରକ୍ଷା ପାଇଁ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ିଛନ୍ତି ଅଂଚଳବାସୀ।