Odiapua.com

ଗୋହିରାଟିକିରିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପର

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତର ଗୋହିରାଟିକିରି ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ଲାଗି ଜିଲ୍ଲା ପ୍ରଶାସନ ତତ୍ପର ଦେଖାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା ଙ୍କୁ ଚିଠି ଲେଖିଛନ୍ତି। ଡିସେମ୍ବର ୫ ତାରିଖ ରେ ଜିଲ୍ଲାପାଳ ଚିଠି ଲେଖିବା ସହ ପରଦିନ ଆସି ଗୋହିରାଟିକିରି ବୁଲି ଦେଖିଥିଲେ। ଜିଲ୍ଲାପାଳ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଓଡ଼ିଆ ସଂସ୍କୃତିକୁ ଗୌରବାନ୍ୱିତ କଲାଭଳି ଅନେକ ସ୍ଥାନ ଭଦ୍ରକ ଜିଲ୍ଲାରେ ରହିଅଛି। ସେମାନଙ୍କ ମଧ୍ୟରେ ଧାମନଗରରେ ଥିବା ଗୋହିରାଟିକିରି ଅନ୍ୟତମ। ଏଠାରେ ଓଡ଼ିଶାକୁ କ୍ଷମତା ଲିପସୁ ଙ୍କ ଠାରୁ ବଂଚାଇବା ପାଇଁ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବ ବେଙ୍ଗଲ ର ନବାବ ସୁଲେମାନଙ୍କ ବିରୋଧରେ ପରାକ୍ରମୀ ଯୁଦ୍ଧ ଲଢ଼ିଥିଲେ। ହେଲେ ୧୫୬୮ ମସିହା ରେ ମୁକୁନ୍ଦ ଦେବଙ୍କ ନିଧନ ସହ ଯୁଦ୍ଧରେ ପରାଜିତ ହେବା ଯୋଗୁଁ ସେତେବେଳେ ମୋଗଲ ସାମ୍ରାଜ୍ୟ ନିକଟରେ ସମର୍ପିତ ହୋଇଥିଲା ଓଡ଼ିଶା। ଇତିହାସର ଗାରିମା ବହନ କରୁଥିବା, ବହୁ କିମ୍ବଦନ୍ତୀର ବାର୍ତାବହ ଓ ପୁରାଣ ବର୍ଣ୍ଣିତ ଗୋହିରାଟିକିରି କିନ୍ତୁ ଚିର ଅବହେଳିତ ହୋଇ ରହି ଆସିଛି। ଯାହା ଫଳରେ ଲୋକମାନେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରୁନାହାନ୍ତି। ଏଣୁ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ସ୍ମାରକୀ ପୀଠ ଭାବେ ବିକଶିତ କରାଗଲେ, ଓଡ଼ିଶାବାସୀ ଏହାର ମହତ୍ୱ ଜାଣିପାରିବେ। ଏହାସହ ଭବିଷ୍ୟ ପିଢ଼ି ନିଜକୁ ଗର୍ବ ଅନୁଭବ କରିବେ ବୋଲି ଜିଲ୍ଲାପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହାକୁ ବିକାଶ କରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବେ ବୋଲି ସେ ଆଶାବାଦୀ ଥିବା ଜିଲ୍ଲାପାଳ କହିଛନ୍ତି। ତେବେ ୨୮ ନଭେମ୍ବର ୨୦୧୬ରେ ରାଜ୍ୟ ସରକାର ଗୋହିରାଟିକିରିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଥିଲେ। କେବଳ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏହାଛଡ଼ା ଆଉ କିଛି ନାହିଁ। ପର୍ଯ୍ୟଟନସ୍ଥଳୀରେ ଲୋକ ରହିବା ପାଇଁ ସୁବିଧା ହୋଇନାହିଁ। ଶୌଚାଳୟ କି ପାନୀୟ ଜଳ ସୁବିଧା ନାହିଁ। ଯାତ୍ରୀଙ୍କ ପାଇଁ ଉପଯୁକ୍ତ ରହଣି ସ୍ଥଳ, ବିଶ୍ରାମ ଗୃହ, ପାନୀୟ ଜଳ ସୁବିଧା କରାଇ ନାହିଁ। ବଣଭୋଜି କରିବା ଲାଗି ପିଣ୍ଡି ହୋଇନାହିଁ। ବଡ଼କଥା ହେଉଛି, ପର୍ଯ୍ୟଟନସ୍ଥଳୀକୁ ଏଯାଏ ଭଲ ରାସ୍ତା ହୋଇପାରିନାହିଁ। ଦୋବଲ ବଜାରରୁ ଗୋବିନ୍ଦାଗଡ଼ିଆ ଯାଏ ଲମ୍ବିଥିବା ଗେଙ୍ଗୁଟି ନଦୀବନ୍ଧ ଏକମାତ୍ର ଭରସାଯୋଗ୍ୟ ରାସ୍ତା। ହେଲେ ନଦୀବନ୍ଧ ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି। କିଛିବର୍ଷ ପୂର୍ବରୁ ରାସ୍ତାଟି ପିଚୁ ହୋଇଥିଲେ ବି ତାହା ନଷ୍ଟ ହୋଇଗଲାଣି। ତା ପରେ ଆଉ ମରାମତି ହୋଇନାହିଁ। ଆଉ ଗୋଟିଏ ପ୍ରମୁଖ ରାସ୍ତା ହେଉଛି, ଧାମନଗର ଦକ୍ଷିଣବାଡ଼ ଛକରୁ ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ହୋଇ ଗୋହିରାଟିକିରି ରାସ୍ତା। ହେଲେ ଏହି କଂକ୍ରିଟ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁସବୁ ପରିବେଶକୁ ନେଇ ଗୋହିରାଟିକିରିକୁ ଲୋକେ ଚିହ୍ନୁଥିଲେ, ଜାଣୁଥିଲେ, ଭାବୁଥିଲେ, ଏବେ ତାହା ଅପସରି ଯାଉଛି। ଗୋହିରାଟିକିରିରେ ଥିବା ବିରାଟ ଅର୍ଜ୍ଜୁନ ଗଛଟି ମୃତ ପ୍ରାୟ। ଶତାଧିକ ବର୍ଷର ପୁରୁଣା ଏ ଗଛଟି ଥରେ ବଜ୍ରପାତରେ ଜଳିଗଲା। ଗୋଟିଏ ବିରାଟ ଶାଖା ଜଳିପୋଡ଼ି ଖସି ପଡ଼ିଲା। ବାକି ରହିଯାଇଥିବା ଡାଳ ଉପରେ ଥରକୁ ଥର ଆସୁଥିବା ବାତ୍ୟା ଦାଉ ସାଧୁଛି। ଏମିତି ଯେ, କେଉଁଦିନ ଗଛଟି ପୂରା ନଷ୍ଟ ହୋଇଯିବ, ତାହା କହି ହେଉନି। କିମ୍ବଦନ୍ତୀ ରହିଛି, ଗୋହିରାଟିକିରିର ଅର୍ଜୁନ ଗଛ ମୂଳରେ ୧୨ ହାତ ଖଣ୍ଡା ବାହାରିବ। କଳି ଯୁଗ ସମାପ୍ତ ହେବ। ତାହାର ଅର୍ଥ କିଛି ବି ହୋଇପାରେ। ହେଲେ ଅର୍ଜୁନ ଗଛ ଆଉ ରହିବ ନାହିଁ। ଅର୍ଜୁନ ଗଛ ମୂଳେ ପ୍ରତିଷ୍ଠା ହୋଇଥିବା ଉତ୍କଳର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତି ବି ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡ଼ି ରହିଛି। ତେବେ ଏପରି କିମ୍ବଦନ୍ତୀ ସ୍ଥାନ ରେ ଏବେ ବିକାଶ ହେବ ସେ ନେଇ ସ୍ଥାନୀୟ ଅଂଚଳ ରେ ବେଶ୍ ଖୁସି ଦେଖା ଦେଇଛି।