Odiapua.com

ଗୋଷ୍ଠୀ ସଂଘର୍ଷର ହନୁମାନ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା : ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଦାବୀ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ରବିବାର ରାତିରେ ଭଦ୍ରକ ପୌରାଞ୍ଚଳ ୧୩ ନଂ ୱାର୍ଡର ଏଲଖା ଓ ମୀରସାହି ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳରେ ଏଲଖା ଛକ ସ୍ଥିତ ହନୁମାନ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃର୍ତ୍ତ ଭାଙ୍ଗି ଦେଇଥିଲେ । ଗଣ୍ଡଗୋଳ ସମୟରେ ଉଭୟ ଗୋଷ୍ଠୀ ଢେଲା ପଥର ମାଡ କରିବା ସହିତ ଲାଠିରେ ଭଙ୍ଗାରୁଜା କରିଥିଲେ । ଏଥିରେ ହନୁମାନ ପ୍ରତିମୂତ୍ତି ଭାଙ୍ଗିଥିଲା । ଏହି ପ୍ରତିମୂର୍ତ୍ତିଙ୍କୁ ବିସର୍ଜନ କରାଯାଇ ନୂତନ ବିଗ୍ରହ ସ୍ଥାପନ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବୀ କରାଯାଇଛି । ଏହି ଗଣ୍ଡଗୋଳକୁ ନେଇ ଏଲଖା ଗ୍ରାମବାସୀଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆ ଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଏକ ସମନ୍ୱୟ କମିଟି ବୈଠକ ଡକାଯାଇ ଆଲୋଚନା କରାଯାଇଥିଲା । ମାତ୍ର ହନୁମାନ ମୂର୍ତ୍ତି ଭଙ୍ଗାଯିବା ଘଟଣା ସମଗ୍ର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ହିନ୍ଦୁ ଧାର୍ମିକ ଭାବନାକୁ ବ୍ୟାଘାତ ଆଣିଛି । ଉକ୍ତ ସମସ୍ତ ବିଷୟକୁ ଆଖିଆଗରେ ରଖି ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ପକ୍ଷରୁ ନୂତନ ମୂର୍ତ୍ତି ସ୍ଥାପନ ନିମନ୍ତେ ଦାବୀ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ପ୍ରତିମୂର୍ତ୍ତି ସ୍ଥାପନ ଏଲଖା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ସଦ୍‌ଭାବନା ଫେରିଆସିବାର ଏକମାତ୍ର କାରଣ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଏଲଖା ଗ୍ରାମ ଛକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ ମନ୍ଦିର ଓ ବିଗ୍ରହ ସ୍ଥାପନ କରିବାର ଆବଶ୍ୟକତା ରହିଛି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୂର୍ବରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭିଏଚ୍‌ପି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଳା ସଭାପତି ବିଜୟ ସିନ୍‌ହା, ବଜରଙ୍ଗ ଦଳର ସ୍ୱାଧୀନ ସୁନ୍ଦର ଦାସ, ଦେବାଶିଷ ଜେନା, ଚନ୍ଦନ ଦାସ, ମହେଶ୍ୱର ବେହେରା, ସମ୍ବିତ ନାୟକ, ରାହୁଲ ସାହୁ, ଗୋବିନ୍ଦ ରାଉତ, କୈଳାସ ଦାସ, ବିଜୟ ଭୂଷଣ ନାୟକ ପ୍ରମୁଖ ଘଟଣାକୁ ନିନ୍ଦା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ ।