Odiapua.com

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଦୁଆଙ୍କ ଦୁର୍ବ୍ୟବହାର

ଭଦ୍ରକ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ମଦୁଆ ଙ୍କ ଉତ୍ପାତ ଏତେମାତ୍ରାରେ ବଢିଗଲାଣି ଯେ, ସେମାନେ କାହାକୁ ବି ମାନୁ ନାହାନ୍ତି । ସେ ପୋଲିସ ହେଉ କିମ୍ବା ଉଚ୍ଚ ପଦାଧିକାରୀ । ଆଜି ଏକ ଏଭଳି ଚିତ୍ର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ମଦ୍ୟପ ଯୁବକମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ, ବରଂ ପୋଲିସ ସମ୍ମୁଖରେ ମଧ୍ୟ ମାଡ ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଗା ଚରଣ ମୂର୍ମୂ  ଧାମନଗର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ କେତେକ ମଦ୍ୟପ ଯୁବକ ଧାମନଗର ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ମଧ୍ୟ ଯୁବକ ଜଣକ ତାଙ୍କୁ ଧମକ ଦେବା ସହ ମାଡ ମାରିବାକୁ ଉଦ୍ୟମ କରିଛନ୍ତି । ତେବେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପରେ ଛାଡିଦେଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ନ କଲେ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀମାନେ ଧମକ ଦେଇଛନ୍ତି ।