ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଂଚାୟତ ୧୬ ନଂ ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଗୋମାଂସ୍ ପରିବହନକାରୀ ଚେଭ୍ରୋଲେଟ୍ ୟୁଭିଏ କାର ଟ୍ରକ୍କୁ ଧକ୍କାଦେବା ଫଳରେ କାର ଚାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଗୁରୁବାର ପ୍ରତ୍ୟୁଷରେ ଓଆର ୦୫ ଏ ଏଚ୍ ୯୫୭୫ ନଂ ଚେଭ୍ରୋଲେଟ୍ ୟୁଭିଏ କାର ଧାମନଗର ରୁ ଗୋମାଂସ ନେଇ ଦ୍ରୁତ ବେଗରେ ଭଦ୍ରକ ଯାଉଥିବା ସମୟରେ ସଂପୃକ୍ତ ସ୍ଥାନରେ ଏକ ୧୨ ଚକିଆ ଟ୍ରକ୍ ପଛରୁ ଧକା ଦେଇଥିଲା । ଫଳରେ କାରଟିର ସମ୍ମୁଖ ଭାଗ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀମାନେ ଚାଳକକୁ ଉଦ୍ଧାର କରି ଭଦ୍ରକ ମେଡିକାଲ ପଠାଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । କାରରେ ଥିବା ଗୋମାଂସ ବସ୍ତାଗୁଡିକ ରାସ୍ତା ଉପରେ ଛିଟିକି ପଡିଥିଲା । ସୂଚନା ପାଇ ଧାମନଗର ପୁଲିସ ଗୋମାଂସକୁ ପୋଡି ଦେଇଥିଲା ଓ କାରଟିକୁ ରାସ୍ତାରୁ ହଟାଇଥିଲା। ମୃତ କାର ଚାଳକ ଧାମନଗର ଥାନା ପଠାଣମହଲା ଗ୍ରାମର ଶେଖ ମୁସ୍ତାକ ଅଲ୍ଲୀ(୨୦) ବୋଲି ଜଣାପଡିଛି । ମୃତକ ପିତା ଶେଖ ଖଲିନଙ୍କ ଅଭିଯୋଗ କ୍ରମେ ଧାମନଗର ଥାନାରେ ୫୧/୨୬ନଂ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।