Odiapua.com

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏକ ସୁଚିନ୍ତିତ ଷଡଯନ୍ତ୍ର କି ? କଂଗ୍ରେସ

ଭୁବନେଶ୍ୱର ୨୦.୧୨ (ଓଡ଼ିଆ ପୁଅ) – ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଉପକାରାଗାର ଭିତରେ ଯେଉଁଭଳି ଭାବରେ ମୃତ୍ୟୁ ଘଟିଛି ତାହା ବହୁ ସଂଦେହ ସୃଷ୍ଟି କରୁଛି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି। ଜେଲ ଭିତରେ ଏକ ବିଚାରଧୀନ କଏଦି କିଭଳି ଆତ୍ମହତ୍ୟା କରିବାକୁ ସୁଯୋଗ ପାଇଲା। ଜେଲ ଭିତରେ ଥିବା ପୋଲିସ ଏହାକୁ କିଭଳି ଭାବରେ ଦେଖିପାରିଲେ ନାହିଁ। ଜେଲ ଭିତରେ ଏତେଗୁଡ଼ିଏ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ କେହି କିଛି ଜାଣିପାରିଲେ ନାହିଁ କିଭଳି ଭାବରେ। ଯେଉଁ ବିଚାରଧିନ କଏଦିଙ୍କର ଅପରାଧ ଏବଂ ଅପରାଧିଙ୍କ କାର୍ଯ୍ୟକଳାପ ସହିତ ସରକାରୀ ଦିଳର ନେତୃବର୍ଗଙ୍କ ସଂପୃକ୍ତି ଥାଏ ସେମାନଙ୍କୁ ଏହିଭଳି ଭାବେର ପୂର୍ବରୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ନୟାଗଡ଼ ଜିଲ୍ଲାର ଛବି ବର୍ଦ୍ଧନଙ୍କ ମୃତ୍ୟୁଠାରୁ ଆରମ୍ଭ କରି କଟକ ଜିଲ୍ଲା ମାହାଙ୍ଗ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ଦୁଇବର୍ଷ ପୂର୍ବରୁ ଘଟିଥିଲା। ସେହି ଘଟଣାରେ ତତ୍‌କାଳୀନ ଆଇନମନ୍ତ୍ରୀ ସମ୍ପୃକ୍ତି ନେଇ ହତ୍ୟାକାଣ୍ଡର ଶୀକାର ହୋଇଥିବା ଦିବ୍ୟସିଂହ ବରାଳ ଓ କୁଳମଣୀ ବରାଳଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ତତ୍କାଳୀନ ମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଓ ତାଙ୍କ ଇସାରାରେ ସେ ଦିବ୍ୟସିଂହ ବରାଳ ଓ କୁଳମଣୀ ବରାଳଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ପୋଲିସ୍ ପ୍ରଫୁଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଇଥିଲେ। ପ୍ରାକ୍ତନ ମନ୍ତ୍ରୀଙ୍କ ସମ୍ପୃକ୍ତି କାଳେ ପ୍ରଫୁଲ ବିଶେଷ ପରିସ୍ଥିତିରେ ଖୋଲି କହିଦେବେ, ସେଇଥିପାଇଁ ସେତେବେଳେ ତାଙ୍କୁ ହତ୍ୟା କରାଯାଇଥିବା ବୋଲି ଅଭିଯୋଗ ହୋଇଥିଲା।

ମମିତା ମେହେର ହତ୍ୟାକାଣ୍ଡର ପଛରେ ତତ୍‌କାଳୀନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଚ୍ଛନ୍ନ ହାତ ଥିବା କଥା ବେଶ୍ ଆଲୋଚନା ହୋଇସାରିଛି ଏବଂ ବହୁକିଛି ପ୍ରାମାଣିକ ତଥ୍ୟ ମଧ୍ୟ ଉପସ୍ଥାପିତ କରାଯାଇଅଛି। ଆମେ ମଧ୍ୟ ପୂର୍ବରୁ ଆଶଙ୍କା କରୁଥିଲୁ ଯେ ବିଜୁ ଜନତା ଦଳର ସରକାର ସମାନ ଉପାୟ ମଧ୍ୟ ଅବଲମ୍ବନ କରିପାରିନ୍ତି ମନ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ଏବଂ ଏଠି ମଧ୍ୟ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇପାରେ। ଆମର ଆଶଙ୍କା ଆଜି ସତ୍ୟରେ ପରିଣତ ହୋଇଛି। ଦିବ୍ୟ ଶଙ୍କର ଓ ବିଜେଡିକୁ ଅପବାଦମୁକ୍ତ କରିବା ଲାଗି ଗୋବିନ୍ଦ ସାହୁକୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି କି? ବୋଲି ପ୍ରଦେଶ କଂଗ୍ରେସ ପ୍ରଶ୍ନ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋବିନ୍ଦ ସାହୁଙ୍କ ପତ୍ନୀ ତାଙ୍କର ସ୍ୱାମୀର ମୃତ୍ୟୁ ପାଇଁ ସଂପୂର୍ଣ୍ଣରୂପେ ସରକାର ଦାୟୀ ଏବଂ ତାଙ୍କୁ ମାରିଦିଆଯାଇଛି ବୋଲି ଗଣମାଧ୍ୟମରେ କହି ସାରିଲେଣି। ଇତିଶ୍ରୀ, ବେବିନା ଏବଂ ପରୀ ହତ୍ୟାକାଣ୍ଡର ଆସାମୀ ମାନଙ୍କୁ ଆଇନର ବାଟରୁ କିଏ ଖସାଇ ଆଣିଲା। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଉପରକୁ ଥରୁଟିଏ ମଧ୍ୟ ଏ ଦାୟୀତ୍ୱ ନିଅନ୍ତି ନାହିଁ। ଆଇନ ତା ବାଟରେ ଯିବାକୁ ବିଜୁ ଜନତା ଦଳର ନେତୃବର୍ଗ ଓଗାଳନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ଏକ ବିଚାରପତିଙ୍କ ତତ୍ୱବଧାନରେ ଏହାର ବିଚାରବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ରାଜ୍ୟରେ ଏବେ ରାଜ୍ୟରେ ଚର୍ଚ୍ଚା ହେଉଥିବା ଆଉ ଏକ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତମାନଙ୍କର ଜୀବନ ସୁରକ୍ଷା ନେଇ ବର୍ତମାନ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏହି ଘଟଣାରେ କିଛି ବରିଷ୍ଠ ରାଜନେତା ଓ ବରିଷ୍ଠ ସରକାରୀ ଅଧିକାରୀମାନଙ୍କର ସମ୍ପୃକ୍ତି ଥିବା ନେଇ କାହାର ସନ୍ଦେହ ନାହିଁ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଅନେକ କଥା କହୁଛି। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିକୁ ବିଜେଡି-ବିଜେପି ନେତାମାନେ ମିଳିମିଶି ଚାପି ଦେଇଥିବା କଥା କାହାକୁ ଅଛପା ନାହିଁ। ଏହି ଘଟଣାକୁ ସେଭଳି ଚାପି ନଦିଆଯାଉ।