Odiapua.com

ଗୋପାଳପ୍ରସାଦ ଖମାର କ୍ଷତିଗ୍ରସ୍ତ ପ୍ରଜାସଂଘର ବୈଠକ

ତାଳଚେର, ୨୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଗୋପାଳପ୍ରସାଦ ଖମାର ଏମ୍‌ସିଏଲ କ୍ଷତିଗ୍ରସ୍ତ ପ୍ରଜାସଂଘର ଏକ ସାଧାରଣ ବୈଠକ ମା ହିଙ୍ଗୁଳା ପୀଠ ପରିସରରେ ଥିବା ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଗଜେନ୍ଦ୍ର କୁମାର ସିଂହ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଗୋପାଳପ୍ରସାଦ ସରପଂଚ ସୁଜାତା ବେହେରା, ତାଳଚେର ସୁରକ୍ଷା ମଂଚର ସଭାପତି ମୂରଲୀଧର ସାହୁ ଓ ସମାଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୋପାଳପ୍ରସାଦ ପଂଚାୟତର ବିଭିନ୍ନ ଗ୍ରାମକୁ ଏମ୍‌ସିଏଲ୍ ଅଧିଗ୍ରହଣ କରିଥିବା ବେଳେ କ୍ଷତିଗ୍ରସ୍ତ ଜମିହରା ପ୍ରଜାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖମାର ଗ୍ରାମଟି ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ବଳରାମ କୋଇଲାଖଣି ଦ୍ୱାରା ଅଧିଗ୍ରହଣ କରାଯାଇଥିବାରୁ ନିଯୁକ୍ତି ନିମନ୍ତେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କଟ୍ ଅପ ଡେଟ୍ ୨୦୧୧ ମସିହା ପରିବର୍ତେ ତା-୩୦-୦୬-୨୦୨୨ରିଖ କରିବାକୁ ପ୍ରସ୍ତାବ କରାଯାଇଥିଲା। ତାହାସହିତ ଗ୍ରାମର ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଜମିହରା ପ୍ରଜାମାନଙ୍କୁ ଏକ ସଙ୍ଗରେ ନିଯୁକ୍ତି ପ୍ରଦାନ ସହ ଥଇଥାନ ନିମନ୍ତେ ଏମ୍‌ସିଏଲ୍ ପକ୍ଷରୁ କ୍ଷତିପୂରଣ ରାଶି ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଦେବାକୁ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଯେଉଁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ଘର ଅନ୍ୟ ସ୍ଥାନରେ ଅଛି ସେମାନଙ୍କୁ ଏମ୍‌ସିଏଲ ପକ୍ଷରୁ ସିକ୍ୟୁରିଟି ଗାର୍ଡ ଆଦି ପୋଷ୍ଟରେ ନିଯୁକ୍ତି ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କର ସମସ୍ତ ସମସ୍ୟାକୁ ଅନୁଗୋଳ ଜିଲ୍ଲାପାଳ, ଆରଡିସି ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବା ସହ ଏ ସମ୍ବନ୍ଧରେ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ କ୍ଷତିଗ୍ରସ୍ତ ପ୍ରଜାସଂଘର ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବାରିହା, ଉପସଭାପତି ପ୍ରତାପ ଚନ୍ଦ୍ର ଦେହୁରୀ, ସହ ସମ୍ପାଦକ ଧରଣୀ ପ୍ରଧାନ, ଅରବିନ୍ଦ ପ୍ରଧାନ, ରାଜକିଶୋର ପରିଡା, ଦିଗାମ୍ବର ପରିଡା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦେହୁରୀ, ଉପଦେଷ୍ଟା ପଠାଣୀ ବାରିହା, ସଂସାର ସାମଲ, ବିଦ୍ୟାଧର ସାମଲଙ୍କ ସମେତ ସମସ୍ତ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବାରିହା ଧନ୍ୟବାଦ ପ୍ରଦାନ କରିଥିଲେ।